ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲଙ୍କୁ ଜେଲରେ ନିର୍ଯାତନା !

ବଲାଙ୍ଗିର ଜିଲ୍ଲା କାରାଗାରରେ କଏଦୀ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଜେଲ ଅଧିକ୍ଷକ, ଜେଲର ଓ କାରାଗାରର ଅନ୍ତବାସୀ ମାଡ ମାରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପୁଞ୍ଜିଲାଲଙ୍କ ଓକିଲ । ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଛନ୍ତି ଜେଲ ଅଧିକ୍ଷକ ଉର୍ମିଳା ମିଞ୍ଜ । ସେ କହିଛନ୍ତି ଏଭଳି ଅଭିଯୋଗ ଭିତ୍ତିହୀନ । ପୁଞ୍ଜିଲାଲଙ୍କୁ କୌଣସି ପ୍ରକାରର ନିର୍ଯାତନା ଦିଆଯାଉନାହିଁ । ସେ ସ୍ୱାଭାବିକ ଜୀବନଯାପନ କରୁଛନ୍ତି । ଅନ୍ୟ କଏଦୀଙ୍କ ସହ ଯେଉଁ ଭଳି ଭାବେ ବ୍ୟବହାର କରାଯାଉଛି, ତାଙ୍କ ସହ ମଧ୍ୟ ସେହିଭଳି ବ୍ୟବହାର ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ଜେଲରେ ଅଛନ୍ତି । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଞ୍ଚଳରେ ସଂପୃକ୍ତ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଘଟଣା ଅନୁଯାୟୀ, ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ତାଙ୍କ ଘରକୁ ଏକ ଗିଫ୍ଟ ପାର୍ସଲ ପହଞ୍ଚିଥିଲା । ଏହାକୁ ଖୋଲିବା ପରେ ଗିଫ୍ଟ ପ୍ୟାକ୍ ଭିତରେ ଥିବା ବୋମା ବିସ୍ଫୋରଣ ହୋଇଥିଲା । ପୁଞ୍ଜିଲାଲ ଥିଲେ ଏହି ବିସ୍ଫୋରଣର ମାଷ୍ଟର ମାଇଣ୍ଡ ।

Leave a Reply