ଅବୁଝା ଗଣିତ ଓ ଅଛିଣ୍ଡା ଅଙ୍କରେ ଘାଣ୍ଟିହେଉଛି ଶିବସେନା

1 min read

ମୁମ୍ବାଇ: ବୁଝାପଡ଼ୁନି ମହାରାଷ୍ଟ୍ର ଗଣିତ । କେମିତି ହେବ ସରକାର ଗଠନ ଏନେଇ ସମ୍ଭାବନାର ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ମାନସାଙ୍କରେ ଛିଣ୍ଡୁଥିବା ସରକାର ଗଠନର ଗଣିତ କ୍ରମଶଃ ଜଟିଳ ହୋଇଚାଲିଛି । ରାଜନୀତିକ ଫର୍ମୁଲା, ଉପପାଦ୍ୟ, ଥିଓରମ ସବୁ କିଛି ଏଯାବତ୍ ଫେଲ୍ ମାରିଛି । ତେବେ ସରକାର ଗଠନ ହେବ କେମିତି ? ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ ଶୁଣାଯାଉଛି ଖୁବ୍‌ ଶୀଘ୍ର ସରକାର ଗଢ଼ିବେ ସେନା, ଏନସିପି ଓ କଂଗ୍ରେସ । କିନ୍ତୁ କେବେ ? ମିଡ଼ିଆ ଆଗରେ ବେଳକୁ ବେଳ ନେତାଙ୍କ ବୟାନବାଜି ରାଜ୍ୟବାସୀ ଓ ରାଜନୀତି ପଣ୍ଡିତଙ୍କୁ କିଛି ସ୍ପଷ୍ଟ ସନ୍ଦେଶ ଦେଇପାରୁନି । ତେବେ ଗତକାଲି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ମନ୍ତବ୍ୟ ଏ ଝାମେଲାରେ ଆଣିଛି ନୂଆ ଟ୍ବିଷ୍ଟ ।

                                 ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଶିବସେନା ସହ ଏନସିପି ଓ କଂଗ୍ରେସ ମିଶି ସରକାର ଗଠନ ପାଇଁ ଉଦ୍ୟମ କରୁଥିବା ବେଳେ ଏନସିପିକୁ ଆଉଁସି ଦେଇ ଅଦୃଶ୍ୟରେ ନିଜ ଆଡ଼କୁ ମୋଦି ଆଉଜି ଆଣିଥିବା ଚର୍ଚ୍ଚା ହେଉଛି । ଗୃହରେ ଶୃଙ୍ଖଳା ରକ୍ଷାର ଉଦାହରଣ ଦେଇ ବିଜେଡ଼ି ସହ ଏନିସିପିକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଦୁଇ ଦଳର ସଦସ୍ୟ ଗୃହର ମଧ୍ୟଭାଗକୁ ଆସି କେବେ ହୋହାଲ୍ଲା କି ନାରାବାଜି କରି ଅଯଥା ବିଶୃଙ୍ଖଳା କରନ୍ତି ନାହିଁ । ଭରା ସଭାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏଭଳି ପ୍ରଶଂସା ପତ୍ର ପାଇ ଦଳୀୟ ସୁପ୍ରିମୋ ଶରଦ ପାଓ୍ବରଙ୍କ ସ୍ବର ବି ହଠାତ୍ ବଦଳିଗଲା ଭଳି ଲାଗୁଛି । ଆରମ୍ଭରୁ ଦ୍ବିତୀୟ ଫର୍ମୁଲା ଅନୁସାରେ ସେନା ସହ ମେଣ୍ଟ କରିବେ ନକରିବେ ଦୋଛକିରେ ପଡ଼ି ନିଷ୍ପତ୍ତି ନେଇ ପାରୁନଥିବା ଶରଦ ପରେ ଯଦିଓ ମେଣ୍ଟ ପାଇଁ କମର କଷିଥିଲେ, କିନ୍ତୁ ଏବେ ମୋଦିଙ୍କ ସାବାସି ଶୁଣି ଦୋ ଦୋ ପାଞ୍ଚରେ ପଡ଼ିଲା ଭଳି ଲାଗୁଛନ୍ତି । ଗତକାଲି ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ ପରେ ସେ ଦେଇଥିବା ମନ୍ତବ୍ୟ ଏମିତି କିଛି ଇଙ୍ଗିତ କରୁଛି ।

ଶରଦ-ସୋନିଆ ସାକ୍ଷାତ

ଶରଦ କହିଥିଲେ, ଯେ ସେନା କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ ପାଇଁ ଆହୁରୀ ଅଧିକ ବିଚାର ବିମର୍ଷ କରିବା ଦରକାର । ଏବେ ପ୍ରଶ୍ନ, କଣ ଚାହୁଁଛନ୍ତି ପାଓ୍ବାର ? ଆଉ କେତେ ଆଲୋଚନା ଦରକାର ? ଫର୍ମୁଲା ତ ଏକଦମ୍‌ ସଫା । ନୀତି ଆଭିମୁଖ୍ୟ ନମିଶିବା ନ୍ୟାୟରେ ଯଦି ଫର୍ମୁଲାକୁ ଏଡ଼ାଇ ଯାଇଥାନ୍ତେ ତେବେ ଆରମ୍ଭରୁ ଏକଥା ଭାବିବାର ଥିଲା । କିନ୍ତୁ କଥା ଆଗେଇଲା ପରେ ସମ୍ବନ୍ଧ ଯୋଡ଼ିବା ପାଇଁ ପଛଘୁଞ୍ଚା ଦେଉଛନ୍ତି ପାଓ୍ବାର ? କଣ ମୋଦିଙ୍କ ମନ୍ତବ୍ୟ ଶରଦ ପାଓ୍ବାରଙ୍କୁ ପ୍ରଭାବିତ କରୁଛି କି ?

ଅବଶ୍ୟ ସୋନିଆଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମ ପ୍ରତିନିଧି ପାଓ୍ବାରଙ୍କୁ ବିଜେପି ସହ ଗଠବନ୍ଧନକୁ ନେଇ ବି ପ୍ରଶ୍ନ କରିଛନ୍ତି । ତେବେ ରାଜନୀତିରେ କୌଣସି ମୁହୂର୍ତ୍ତରେ କିଛି ବି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ଏସବୁ ସମ୍ଭାବନା ଓ ଆଶଙ୍କା ଭିତରେ ମୁଖ୍ୟମନ୍ତ୍ରୀ ଚୌକି ପାଇବା ପାଇଁ ଆରମ୍ଭରୁ ଆଶା କରିଥିବା ଶିବସେନାର ସ୍ବପ୍ନ ବି ଶୀଘ୍ର ପୂରଣ ହେଲା ଭଳି ଲାଗୁନି । ତେବେ ବହୁମତର ଦସ୍ତାବିଜ ଧରି କିଏ, କେବେ ଓ କେଉଁ ଫର୍ମୁଲାରେ ଆସି ରାଜ୍ୟପାଳଙ୍କ ନିକଟରେ ସରକାର ଗଠନର ଦାବି ରଖିବେ ତାକୁ ହିଁ ଅପେକ୍ଷା । ')}

Leave a Reply