କେନିଆ ଜଂଗଲରେ କାହିଁକି ବୁଲୁଛନ୍ତି ଗଜପତି ମହାରାଜା ?

1 min read

ଭୁବନେଶ୍ବର : ଜଙ୍ଗଲରେ ବୁଲୁଛନ୍ତି ରାଜା ପୁଅ । ସୁଦୂର ଆଫ୍ରିକୀୟ ଦେଶ କେନିଆର ମାସାଇମରା ସଂରକ୍ଷିତ ଜଂଗଲରେ ବୁଲୁଛନ୍ତି ମହାରାଜା । ଏ ରାଜା ଆଉ କେହି ନୁହନ୍ତି, ସେ ହେଲେ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେଓ । ସେ ପୁଣି ଏପରି ଜଂଗଲରେ ବୁଲୁଛନ୍ତି କାହିଁକି ? କଥା ହେଉଛି ଗଜପତି ମହାରାଜାଙ୍କର ସଉକ ରହିଛି ଫଟୋଗ୍ରାଫିରେ ।

ଆଗରୁ ରାଜାମାନେ ପାରିଧିରେ ଶିକାର ପାଇଁ ଯାଉଥିଲେ । କିନ୍ତୁ ସମୟ ବଦଳିଛି । ଏ ପରିବର୍ତ୍ତିତ ସମୟରେ ବଦଳିଛି ରାଜାମହାରାଜାଙ୍କ ସଉକ । ଫଟୋଗ୍ରାଫିକୁ ମହାରାଜା ଭଲ ପାଆନ୍ତି । ଲୋପ ପାଇବାକୁ ଯାଉଥିବା ବିରଳ ବନ୍ୟପ୍ରାଣୀଙ୍କ ଗତିବିଧିକୁ ନିଜ କ୍ୟାମେରାରେ କଏଦ କରିଛନ୍ତି ମହାରାଜା ଦିବ୍ୟସିଂହଦେଓ । ମହାରାଜ କେନିଆ ମାସାଇମରା ଘଞ୍ଚ ଜଂଗଲରେ ବୁଲି ବିରଳ ବନ୍ୟଜନ୍ତୁ ଓ ମନଲୋଭା ପ୍ରାକୃତିକ ଦୃଶ୍ୟାବଳିର ଚିତ୍ର ନିଜ କ୍ୟାମେରା ଲେନ୍ସରେ ତୋଳିଧରିଛନ୍ତି । ଏଥିସହିତ ମାସାଇମରାର ଜଂଗଲ ଭିତରେ ଥିବା କ୍ୟାମ୍ପରେ ରହି ବନ୍ୟପ୍ରାଣୀଙ୍କ ଚିତ୍ର ଉତ୍ତୋଳନ କରିଛନ୍ତି ।

୫୨୦ ବର୍ଗ କିଲୋମିଟର ପରିସୀମାଭୁକ୍ତ ମାସାଇମରା ଜଂଗଲ ଅତି ସୁନ୍ଦର । ମାସାଇର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଜଙ୍ଗଲ ଭିତରେ ଜିରାଫ, ଜେବ୍ରା, ବାଘ, ସିଂହ ଓ ଚିତାମାନଙ୍କୁ ଅତି ପାଖରେ ଦେଖିଛନ୍ତି ସେ। ଯେତେବେଳ ବି ଅବସର ପାଆନ୍ତି, ଫଟୋଗ୍ରାଫି ପାଇଁ ମହାରାଜା ବାହାରିଯାଆନ୍ତି । ଅବଶ୍ୟ ମହାରାଜାଙ୍କ ଏହି ଫଟୋଗ୍ରାଫି ଆଗ୍ରହ ଏଯାଏଁ ମିଡିଆର ଆଢୁଆଳରେ ରହିଛି ।  

 

')}

Leave a Reply