ଦୁଇ ଘଣ୍ଟା ବିଳମ୍ବରେ ଶେଷ ହେଲା ନାଗାର୍ଜୁନ ବେଶ, କିନ୍ତୁ ଭାବ ବିନୋଦିଆ ପାଖରେ ନଥିଲା ଭକ୍ତଙ୍କ ଭିଡ଼

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଯୋଦ୍ଧାବେଶରେ ସଜ୍ଜିତ ହେଲେ ମହାପ୍ରଭୁ । ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ଶ୍ରୀଜିଉଙ୍କୁ  ସଜା ଯାଇଛି। ତ୍ରିଭୁବନେଶ୍ୱରୀ ବେଶରେ ସଜ୍ଜିତ ହୋଇଛନ୍ତି ମା’ ସୁଭଦ୍ରା। ନିର୍ଦ୍ଧାରିତ ସମୟଠାରୁ ଦୁଇ ଘଣ୍ଟା ବିଳମ୍ବରେ ସରିଛି ବେଶ । ଏସଂପର୍କରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଚନ୍ତି । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବେଶନୀତିରେ ବିଳମ୍ବ ହୋଇଥିଲା । ସେବାୟତ ନିୟୋଜନ ନେଇ ସିଂହାରୀ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ତେବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା । ଭଣ୍ଡାର ମେକାପ ଅଳଙ୍କାର ଯୋଗାଇଛନ୍ତି । ଏହାସହ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଛି । ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି କରାଯିବ । ସକାଳ ୨ଟା ୪୫ରେ ଦ୍ୱାର ଫିଟା ପରେ ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ ଓ ତଡପଲାଗି ନୀତି ଶେଷ ହୋଇଥିଲା । ବିଳମ୍ବିତ ରାତିରେ ହରଚଣ୍ଡୀ ସାହି ଚକ୍ରକୋଟରୁ ସ୍ୱତନ୍ତ୍ର ପଟୁଆରରେ ଶ୍ରୀମନ୍ଦିରକୁ ବେଶ ସାମଗ୍ରୀ ଅଣାଯାଇଥିଲା।

ତେବେ ଏସବୁ ଭିତରେ ଭକ୍ତ ଭଗବାନ ମଧ୍ୟରେ ଭୂତାଣୁ ସାଜିଛି ବାଧା । କରୋନା କଟକଣା ପାଇଁ ଶ୍ରୀଜିଉଙ୍କ ଏହି ଦୁର୍ଲଭ ବେଶ  ଦର୍ଶନ କରିପାରିନାହାନ୍ତି ଶ୍ରଦ୍ଧାଳୁ । ଛଳଛଳ ଆଖିରେ ବଡ଼ଦାଣ୍ଡରୁ ପତିତପାବନଙ୍କ ଦର୍ଶନ କରୁଛନ୍ତି । ହେଲେ ମନ ବୁଝୁନି । ଦୀର୍ଘ ୨୫ ବର୍ଷ ପରେ ଯୋଦ୍ଧାବେଶରେ ସଜ୍ଜିତ ହୋଇଛନ୍ତି କାଳିଆ ସାଆନ୍ତେ । ଆଖି ପୂରାଇ ଦେଖିପାରୁନାହାନ୍ତି ଭକ୍ତ । ଜଗାର ଯୋଦ୍ଧାବେଶ ଦେଖି ନପାରି ଛଳଛଳ ଆଖି, ମନ କୋହରେ ଭରିଯାଇଛି । କାରଣ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଗତକାଲି ରାତି ଦୁଇଟାରୁ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି । ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ଧାରା ଜାରି ରହିବ  । ପୁରୀକୁ ଯୋଗାଯୋଗ କରୁଥିବା ସମସ୍ତ ସୀମାକୁ ମଧ୍ୟ ସିଲ କରାଯାଇଛି ।

Leave a Reply