ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

1 min read

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଯାହାକୁ ମିଶାଇ ହତ୍ୟା ଘଟଣାରେ ଏବେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି. କେ ଜେନା ।

ଏହି ମାମଲାରେ ପୂର୍ବରୁ ୫ ଅଭିଯୁକ୍ତକୁ ଗିରଫ କରି ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ । ଅଭିଯୁକ୍ତ ପଞ୍ଚାନନ ସେଠୀ, ଅରବିନ୍ଦ ଖଟୁଆ, କ୍ଷିତିସ୍ ଆଚାର୍ଯ୍ୟ, ଲଳିତ ମୋହନ ବରାଳ ଓ କୈଳାସ ଖୁଣ୍ଟିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ତେବେ ଗତକାଲି କୋର୍ଟ ଚାଲାଣ ବେଳେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଅଭିଯୁକ୍ତ ପଞ୍ଚାନନ ସେଠୀ । ପୂର୍ବ ଶତ୍ରୁତାରୁ କୁଳମଣି ବରାଳଙ୍କୁ ହତ୍ୟା କରିଛି କହିଥିଲା ପଞ୍ଚାନନ । ମୃତ କୁଳମଣି ଓ ତାଙ୍କ ଦୁଇ ପୁଅ ପୂର୍ବରୁ ତାଙ୍କୁ ଉଲଗ୍ନ କରି ଆକ୍ରମଣ କରିଥିଲେ । ଯେଉଁଥିପାଇଁ ଆକ୍ରୋଶ ରଖି ତାଙ୍କୁ ହତ୍ୟା କରିଥିଲୁ ବୋଲି ସେ ପ୍ରକାଶ କରିଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଭୁବନେଶ୍ୱରରୁ କୈଳାସ ଖଟୁଆକୁ ଗିରଫ କରାଯାଇଥିବା ଅତିରିକ୍ତ ଆରକ୍ଷି ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଥିଲେ । ସେହିପରି ଗତକାଲି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା। ଏଥିସହିତ ଲୁଚାଇଥିବା ହତିଆର ଧରି ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା ସେ ।

ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ୧୦-୧୨ଜଣ ଦୁର୍ବୃତ୍ତ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ଦିବ୍ୟସିଂହ ପ୍ରାଣ ହରାଇଥିଲେ।

Leave a Reply