ମାହଙ୍ଗା ଡବଲ ମର୍ଡର ଘଟଣାରେ ନୂଆ ମୋଡ଼, ଅଭିଯୁକ୍ତର ମା’ ଦେଲେ ଚାଞ୍ଚଲ୍ୟକର ବୟାନ

mahanga Double Murder

କଟକ: ମାହଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ଆସିଲା ନୂଆ ମୋଡ଼ । ଅଭିଯୁକ୍ତର ମା’ ଦେଲେ ଚାଞ୍ଚଲ୍ୟକର ବୟାନ । କହିଲେ ‘ମୋ ଜୀବନ ପ୍ରତି ବିପଦ ଅଛି, ତେଣୁ ମୁଁ ଗାଁ ଛାଡ଼ି ବାହାରେ ରହୁଛି’ ପୂର୍ବରୁ ମୃତ କୂଳମଣିଙ୍କ ପୁଅ ଓ ତାଙ୍କ ସହଯୋଗୀମାନେ ଘରେ ପଶି ଦୁଇ ପୁଅକୁ ମାଡ଼ ମାରିଥିଲେ । ଜଣଙ୍କୁ ଲଙ୍ଗଳା କରି ନିର୍ଧୁମ ଛେଚିଥିଲେ । ଖାଲି ସେତିକି ନୁହେଁ ମତେ ମଧ୍ୟ ମାରିବାକୁ ଧମକ ଦେଇଥିଲେ । ଘରକୁ ଗଲେ ମାରିଦେବେ ବୋଲି ଧମକ ଦେଇଥିଲେ । ତେଣୁ ମୁଁ ଗାଁକୁ ଯାଉନି ।

ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନର ମା’ଙ୍କ ଏଭଳି ବୟାନ ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ପଞ୍ଚାନନକୁ ଗିରଫ କରାଯିବା ବେଳେ ମଧ୍ୟ ସେହି ଏନେଇ ଅଭିଯୋଗ କରିଥିଲା । ଆଉ କୂଳମଣିଙ୍କ ପୁଅ ଏଭଳି ଆକ୍ରମଣ କରିଥିବା ପ୍ରତିଶୋଧ ପରାୟଣ ହୋଇ ସେ ହତ୍ୟା କରିଥିବା କହିଥିଲା ।

ଏନେଇ ସେତେବେଳେ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ ବୋଲି ବୟାନ ଦେଇଛନ୍ତି ପଞ୍ଚାନନର ମା’ ମାତାଜୀ ସେଠୀ । ଦଳିତ ପରିବାର ଉପରେ ଆକ୍ରମଣ ପରେ ମାତାଜୀ ସେଠୀଙ୍କୁ ଭେଟିଥିଲା ଜାତୀୟ ଦଳିତ ମହାସଂଘର ଏକ ଟିମ୍ ।

 ଦଳିତ ମହାସଂଘ ପକ୍ଷରୁ ସଭାପତି ଲିଟୁ ଦାସ ଦାବି କରିଛନ୍ତି ଯେ, ଯେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଯଦି ସେମାନଙ୍କୁ ଗିରଫ କରାନଯାଏ ତେବେ ଆଗାମୀ ବଡ଼ ଆନ୍ଦୋଳନ କରାଯିବ । ଖାଲି ସେତିକି ନୁହେଁ ଅଭିଯୁକ୍ତ ପଞ୍ଚାନନର ମା’ଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇବାକୁ ସଂଘ ଦାବି କରିଛି ।

Leave a Reply