ମହାନଦୀ ଜଳ ବିବାଦ ମାମଲା : ଅଗଷ୍ଟ ୮ରେ ପୁଣି ଶୁଣାଣି

1 min read
mahanadi water dispute: tribunal advised Chhattisgarh to hold talks with Odisha

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗର ଶୁଣାଣି ପୁଣିଥରେ ଘୁଞ୍ଚିଛି । ଆଜି ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ  ଶୁଣାଣି ହୋଇଥିଲା । ତେବେ ଶୁଣାଣିରୁ କୌଣସି ନିଷ୍କର୍ସ ବାହାରିପାରିନଥିଲା । ତେଣୁ ଅଗଷ୍ଟ ୮ ତାରିଖକୁ ଟ୍ରିବ୍ୟୁନାଲ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି  । ଶୁଣାଣିବେଳେ ଛତିଶଗଡ଼କୁ ଟ୍ରିବ୍ୟୁନାଲ ଓଡ଼ିଶା ସହ ପୁଣି ଆଲୋଚନା ଲାଗି ପରାମର୍ଶ ଦେଇଥିବାବେଳେ ଛତିଶଗଡ଼ ଏହାକୁ ମନା କରିଦେଇଛି  । ଓଡ଼ିଶାର ମତ ଜଣାପଡିନି  । ପୂର୍ବରୁ ମହାନଦୀ ଜିଳ ବିବାଦ ନେଇ ଓଡ଼ିଶା-ଛତିଶଗଡ଼ ବୈଠକ ଫେଲ ପରେ ଆଜି ଟ୍ରିବ୍ୟୁନାଲରେ ପୁଣି ହାଜର ହୋଇଥିଲେ  । ଜଳ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟଙ୍କ ସହ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଥିଲା  । ଏଥିରେ ଉଭୟ ରାଜ୍ୟ ଇସ୍ୟୁ ଫ୍ରେମ୍ ପାଇଁ ଜୋର ଦେଇଥିଲେ ବୋଲି ସୂଚନା ଥିଲା  । ଗତକାଲି ପର୍ଯ୍ୟନ୍ତ ଉଭୟ ରାଜ୍ୟ ମିଳିତ ଭାବେ ବିବାଦର ସମାଧାନ କରିବାରେ ବିଫଳ ପରେ ଆଜି ଟ୍ରିବ୍ୟୁନାଲରେ ଉପସ୍ଥିତ ହୋଇଥିଲେ  । ଗତ ଜାନୁଆରୀରେ ଓଡ଼ିଶା ଦ୍ୱାରା ୨୬ଟି ପ୍ରସଙ୍ଗ ଓ ଛତିଶଗଡ଼ ଦ୍ୱାରା ୧୩ଟି ପ୍ରସଙ୍ଗକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା  । ସେହିଭଳି ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍ ୧୯୫୬ର ଧାରା ୯ ଅନୁଯାୟୀ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଭାରତୀୟ ପାଣିପାଗ ବିଭାଗ ଠାରୁ ତଥ୍ୟ ମଗାଯିବ କି ନାହିଁ ଛତିଶଗଡ ସରକାରଙ୍କ ତରଫରୁ ଆଗତ ଦୁଇଟି ଆବେଦନ କରାଯାଇଥିଲା । ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ  ।  ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଦୁଇ ରାଜ୍ୟ ମଧ୍ୟରେ ବୈଠକ ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରିନଥିଲା  ।

ଅନ୍ୟପକ୍ଷରେ ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶାରେ ରାଜନୀତି ଆରମ୍ଭ ହୋଇଯାଇଛି । ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ,  ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ । ତେଣୁ ଆମକୁ ଆମ ନ୍ୟାର୍ଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର । ମୌସୁମୀ ସମୟରେ ଅସୁବିଧା ନାହିଁ କିନ୍ତୁ ଅଣମୌସୁମୀ ସମୟରେ ଆମେ ଯେତିକି ଜଳ ପାଇବା କଥା ପାଉନୁ । କିନ୍ତୁ ଛତିଶଗଡ଼ ତା’ଦାବିରେ ଅଟଳ । ଟ୍ରିବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ । କିନ୍ତୁ ଜଣାପଡୁଛି ଆଲୋଚନା ବିଫଳ । ଏବେ ଟ୍ରିବ୍ୟୁନାଲ କଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଅପେକ୍ଷା । ଆମ ସରକାରଙ୍କ ପକ୍ଷରୁ ଯେଉଁ ଯୁକ୍ତି ରହିଛି ଆଶା କରୁଛୁ ଟ୍ରିବ୍ୟୁନାଲ ଆମ ସପକ୍ଷରେ ନିଷ୍ପତ୍ତି ନେବେ । ମହାନଦୀର ତଳ ମୁଣ୍ଡରେ ବ୍ୟାରେଜ୍ ଓ ରିଜର୍ଭୟର ପାଇଁ ଆମେ କେନ୍ଦ୍ର ଜଳ ଆୟୋଗକୁ ମଧ୍ୟ ଅନୁମତି ମାଗିଛୁ । ଅନୁମତି ମିଳିବା ପରେ ତଳ ମୁଣ୍ଡରେ ମଧ୍ୟ ମହାନଦୀ ଜଳ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ।

ସେପଟେ  କଂଗ୍ରେସ ବିଧାୟ ସୁରେଶ କୁମାର ରାଉତରାୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି  । ସେ କହିଛନ୍ତି ଯେ, ଓଡିଶା ସରକାରଙ୍କ କିଛି ଆଭିମୁଖ୍ୟ ନାହିଁ । ପୂର୍ବରୁ ଜଳସେଚନ ବିଭାଗ କଣ କରୁଥିଲା?  ଛତିଶଗଡ଼ ଯେତେବେଳେ ଆଡ଼ି ବନ୍ଧ ବ।ନ୍ଧୁଥିଲା ସେମାନେ କୁଆଡ଼େ ଯାଇଥିଲେ ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି ।   ତଳେ ଯଦି 11ଟି ଆଡ଼ି ବନ୍ଧ ହେବ ଓଡିଶା ବାସୀ ପାଣି ପାଇବେ ବୋଲି ସୁର ରାଉତରାୟ କହିଛନ୍ତି ।

(ଦିଲ୍ଲୀରୁ ବିଭୂତି ପତି ଓ ଭୁବନେଶ୍ୱରରୁ ଚିନ୍ମୟ ମହାପାତ୍ରଙ୍କ ରିପୋର୍ଟ)

Leave a Reply