୨୧ ବର୍ଷୀୟ ଫେସବୁକ୍ ପ୍ରେମିକର କାରନାମା, ବାହାହେବାକୁ କହି ପଳାଇଗଲା ବେଙ୍ଗାଲୁରୁ

1 min read

ଝାରସୁଗୁଡ଼ା: ଫେସବୁକରେ ପ୍ରେମ, ଲୋଭନୀୟ ପ୍ରତିଶ୍ରୁତିର ପାହାଡ଼, ପୁଳା ପୁଳା ସ୍ୱପ୍ନ ଭିଜା ପ୍ରତିଶ୍ରୁତି । କିନ୍ତୁ, ସବୁକିଛି ଥିଲା ମିଛ ଆଉ ପ୍ରତାରଣା । ପ୍ରେମ ଓ ପ୍ରେମୀକୁ ଭରସା କରି ସିନା ଘରୁ ଗୋଡ଼ କାଢ଼ିଥିଲା କିନ୍ତୁ ପ୍ରେମିକ ଯେ ଧୋକାବାଜ୍ ବାହାରିବ ତାହା ସ୍ୱପ୍ନରେ ବି କଳ୍ପନା କରିନଥିଲା ଯୁବତୀ ।

ଫେସବୁକର ଫେକ୍ ପ୍ରେମୀ ଏବେ ଥାନା ଭିତରେ। ଯୁବକଙ୍କ ଟାର୍ଗେଟରେ ଥିଲେ ବିବାହିତ ମହିଳା । ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି ପ୍ରେମ ଜାଲରେ ଫସାଉଥିଲେ ମହିଳାଙ୍କୁ । ଘଟଣାଟି ହେଉଛି ଝାରସୁଗୁଡା ଜିଲ୍ଲାର । ଯେଉଁଠି ଯୁବକ ଜଣଙ୍କ ଫେସବୁକରେ  ବିବାହିତା ମହିଳାକୁ ପ୍ରେମ ନିବେଦନ କରି ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ଏବଂ ବିବାହ କରିବାକୁ କହି ମହିଳାଙ୍କୁ ଅନୁଗୁଳରେ ଛାଡ଼ିଦେଇ ଫେରାର ମାରିଥିଲେ ଯୁବକ । ତେବେ ଉକ୍ତ ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ବଡ଼ମାଲ ପୋଲିସ l

ସୂଚନା ଅନୁସାରେ, ଜଣେ ବିବାହିତା ମହିଳାକୁ ଢେଙ୍କାନାଳ ଜିଲ୍ଲାର ସୌମ୍ୟ ରଞ୍ଜନ ସେଠୀ ନାମକ ଜଣେ ଯୁବକ ଫେସବୁକରେ ପ୍ରେମ ନିବେଦନ କରିଥିଲେ ପରେ ପରଷ୍ପରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଦୁହେଁ ବିବାହ କରିବାର ନିଷ୍ପତି ନେଇଥିଲେ । ବିବାହ ପାଇଁ ମହିଳା ଜଣଙ୍କୁ, ସୌମ୍ୟରଞ୍ଜନ ପ୍ରଥମେ ଢେଙ୍କାନାଳ ଏବଂ ପରେ ନିଜ ମାଉସୀ ଘର ଅନୁଗୁଳକୁ ଡାକିନେଇଥିଲେ । ସେଠାରେ ତାଙ୍କ ମାଉସୀ ଏ ବିବାହ ପାଇଁ ସମ୍ମତି ଦେଇନଥିଲେ । ପରେ ମହିଳା ଜଣଙ୍କୁ ସୌମ୍ୟରଞ୍ଜନ ଅନୁଗୁଳ ବସଷ୍ଟାଣ୍ଡରେ ଛାଡ଼ିଦେଇ ଫେରାର ମାରିଥିଲା ।

ମହିଳା ଜଣଙ୍କ ସେଠୁ ଝାରସୁଗୁଡ଼ା ନିଜ ଘରକୁ ଆସି ସବୁ କଥା ଘରଲୋକଙ୍କୁ ଜଣାଇବା ପରେ ବଡ଼ମାଲ ଥାନାରେ ଅଭିଯୋଗ କରାଯାଇଥିଲା । ପୂର୍ବରୁ ଗତ ନଭେମ୍ବର ମାସ ୨୮ତାରିଖରେ ମହିଳା ଜଣକ ନିଖୋଜ ଥିବାନେଇ ବଡ଼ମାଲ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଏହାକୁ ଆଧାର କରି ବଡ଼ମାଲ ପୋଲିସ ଯୁବକର ମୋବାଇଲ ନମ୍ବରକୁ ଟ୍ରାକ୍ କରି ଯୁବକଙ୍କୁ ବେଙ୍ଗଳୁରରୁ ଗିରଫ କରିଛି ।

Leave a Reply