ଲଭ-ଜେହାଦୀ ବିରୋଧରେ ଆଇନ ଆଣିବେ ଶିବରାଜ !

1 min read

ଭୋପାଳ: ଆଉ ଚଳିବନି ପ୍ରେମ ନାମରେ ଧର୍ମାନ୍ତୀକରଣ । ଉତ୍ତର ପ୍ରଦେଶ ପଥରେ ଏବେ ମଧ୍ୟପ୍ରଦେଶ । ଲଭ ଜେହାଦୀକୁ ଆଇନବିରୋଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଶିବରାଜ ସରକାର । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏନେଇ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି, ଯଦି କୌଣସି ବ୍ୟକ୍ତି ଲଭ ଜେହାଦୀ କରୁଥିବା ନେଇ ସୂଚନା ମିଳେ ତେବେ ତାହା ସାଙ୍ଘାତିକ । ସଂଶ୍ଲିଷ୍ଟ ବ୍ୟକ୍ତିର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯିବ । ଏନେଇ କଡା ଆଇନ ପ୍ରଣୟନ କରାଯିବ ବୋଲି କହିଛନ୍ତି ନରୋତ୍ତମ ।

ଡିସେମ୍ବର ୨୮ ତାରିଖରେ ରାଜ୍ୟରେ ବସିବାକୁ ଯାଉଛି ଆଗାମୀ ଅଧିବେସନ । ଉକ୍ତ ଅଧିବେସନରେ ‘ଲଭ-ଜେହାଦୀ’ ବିରୋଧରେ ଆଇନ ଆଣିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜ୍ୟର ଗୃହମନ୍ତ୍ରୀଙ୍କ କହିବା ଅନୁଯାୟୀ, ଉତ୍ତର ପ୍ରଦେଶ ଅପେକ୍ଷା ଆମ ଆଇନରେ ସାମଞ୍ଜସ୍ୟ ରହିବ । ସଂଶ୍ଲିଷ୍ଟ ବ୍ୟକ୍ତି ବିରୋଧରେ ମାମଲା ଋଜୁ କରାଯିବ ସହ ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରାଯିବ ।

ଗତ କିଛିଦିନ ତଳେ ଏକ ସଭାରେ ଯୋଗଦେବା ଅବସରରେ ଏନେଇ ସମ୍ୟକ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ରାଜ୍ୟରେ ଯଦି କେହି ମା-ଭଉଣୀଙ୍କୁ ନେଇ ଧର୍ମ ବେପାରର ଦୁଃସାହସ କରେ, ତେବେ ତାହାର ଅବସ୍ଥା ଭୟଙ୍କର ହେବ ବୋଲି ମଞ୍ଚରେ ଗର୍ଜିଥିଲେ ଶିବରାଜ । ଏକଥା ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ, ଲଭ-ଜେହାଦୀ କୁ ପ୍ରସୟ ଦେଉଥିବା ବ୍ୟକ୍ତିଙ୍କୁ ଏ ସରକାର କଦାପି କୋହଳ କରିବ ନାହିଁ । ତେଣୁ ବେଳ ଥାଉ ସୁଧୁରିଯିବାକୁ ଆହ୍ୱାନ ଦେଇଥିଲେ ଶିବରାଜ ।

Leave a Reply