କଟକଣା ଭିତରେ ରତ୍ନବେଦୀ ବାହୁଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି

1 min read
Lord Jagannath's Bahuda Yatra to be held under Curfew

ପୁରୀ: ସଟଡାଉନ୍ କଟକଣା ଭିତରେ ଚଳଚଞ୍ଚଳ ହେବ ଶ୍ରୀକ୍ଷେତ୍ର । ଜନ୍ମବେଦୀରୁ ରତ୍ନ ସିଂହାସନ ବାହୁଡ଼ି ଆସିବେ ମହାବାହୁ । ରଥଯାତ୍ରା ଭଳି କର୍ଫ୍ୟୁ ଭିତରେ ଗଡ଼ିବ ତିନି ରଥ । ଆସନ୍ତା ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ପୁରୀରେ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି ।

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା, ସୁନାବେଶ, ଅଧରନୀତି ଓ ନୀଳାଦ୍ରି ବିଜେ ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ସମସ୍ତେ ଘରେ ରହି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତି ଦେଖିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୩୦ ତାରିଖ ରାତି ୧୦ଟାରୁ ପୁରୀରେ କର୍ଫ୍ୟୁ ଲାଗୁ ହେବ । ଅତ୍ୟାବଶ୍ୟକୀୟ କାର୍ଯ୍ୟ ବ୍ୟତୀତ ଆଉ କିଛିକୁ ଅନୁମତି ପ୍ରଦାନ କରାଯିବ ନାହିଁ । ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ ରହିବ ।

ତେବେ, ପୁରୀ ସହରର ସମସ୍ତ ଲଜ ଓ ହୋଟେଲ ମାଲିକ ମାନେ ସହଯୋଗ କରିବା ସହ ବାହୁଡ଼ା ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହୋଟେଲ ବୁକିଂ ନରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର, ମନ୍ଦିର, ମସଜିଦ ଆଦି ସମସ୍ତ ଜାଗାରେ ସର୍ଭେ କରାଯିବ । ସଦସ୍ୟଙ୍କ ତାଲିକା ନିଆଯିବ । ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ନିଜ ଘରେ ବାହାର ଲୋକଙ୍କୁ ରଖିଲେ ଆଇନ୍ ଅନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ କଟକଣା ଭିତରେ ଶୃଙ୍ଖଳାର ସହ ରଥଯାତ୍ରା ହୋଇଥିଲା । ସେବାୟତ ଓ ରଥଯାତ୍ରାରେ ନିୟୋଜିତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ଓ କର୍ମଚାରୀ ରଥଟଣାରେ ସାମିଲ୍ ହୋଇଥିଲେ । ଶୃଙ୍ଖଳିତ ଓ ଅଭୂତପୂର୍ବ ଭାବେ ଶ୍ରୀଗୁଣ୍ଡିଚା ଯାତ୍ରା ସମାପନ ହୋଇଥିବାରୁ ପୁରୀ ବାସୀଙ୍କୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଧନ୍ୟବାଦ ଜଣାଇଛନ୍ତି । ବାହୁଡ଼ାଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କୋଭିଡ୍ ନିୟମ ମାନି କରିବାକୁ ଜିଲ୍ଲାପାଳ କହିଛନ୍ତି ।

https://nandighoshatv.com/supreme-court-order-in-lord-jagannath-ratha-yatra/

Leave a Reply