ମହଙ୍ଗା ହେବ ସଂସଦର ଖାଇବା, ଆଉ ମିଳିବନି ସବସିଡି

President Ramnath Kovind Puri Visits, Here Breakfast To Dinner Food List

ନୂଆଦିଲ୍ଲୀ: ସଂସଦର କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି । ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯିବା ନେଇ ମଙ୍ଗଳବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି। ଯାହା ଫଳରେ ଏବେ ସଂସଦର କ୍ୟାଣ୍ଟିନରେ ଖାଇବା ଦାମ୍ ମହଙ୍ଗା ହେବ।

ଏହି ସବସିଡି ବନ୍ଦ ହେଲେ ସଂସଦ ବାର୍ଷିକ ୮ କୋଟି ଟଙ୍କା ସଞ୍ଚୟ କରିବା ନେଇ ଯୋଜନା କରିଛି। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ବଜେଟ ଅଧିବେଶନରୁ ହିଁ କ୍ୟାଣ୍ଟିନରେ ସବସିଡି ବ୍ୟବସ୍ଥା ବନ୍ଦ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଉପରେ ଦିଆଯାଉଥିବା ସବସିଡି ସାଂସଦ ତଥା ଅନ୍ୟମାନଙ୍କ ଲାଗି ବନ୍ଦ ହେବ । ଏବେ ଉତ୍ତର ରେଲୱେ ବଦଳରେ ଆଇଟିଡିସି ସଂସଦର କ୍ୟାଣ୍ଟିନ ବ୍ୟବସ୍ଥାର ସଞ୍ଚାଳନା କରିବ ।

ସୂଚନା ଅନୁସାରେ କ୍ୟାଣ୍ଟିନରେ ଦିଆଯାଉଥିବା ସବସିଡି ବନ୍ଦ କରିବାକୁ ଲୋକସଭା ବାଚସ୍ପତି ଓମ ବିର୍ଲା ହିଁ ପରାମର୍ଶ ଦେଇଥିଲେ। ଆଉ ଏହି ପ୍ରସଙ୍ଗରେ ସମସ୍ତ ପକ୍ଷ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ତେବେ ଅନେକ ସମୟରେ ସଂସଦର କ୍ୟାଣ୍ଟିନରେ ମିଳୁଥିବା ସବସିଡି ବିବାଦର ଅଂଶ ପାଲଟିଥାଏ ।

ସବସିଡି ଯୋଗୁଁ ସଂସଦର କ୍ୟାଣ୍ଟିନରେ ଦେଶର ସାଂସଦ ମାନଙ୍କୁ ଖୁବ୍ କମ୍ ଦାମରେ ଖାଇବା ମିଳିଥାଏ । ଖାଲି ଏତିକି ନୁହେଁ ଟିକସଦାତାଙ୍କ ପଇସାରେ ସାଂସଦ ମାନେ ଶସ୍ତାରେ ଖାଦ୍ୟ ଖାଉଛନ୍ତି ବୋଲି ଚର୍ଚ୍ଚା ହୋଇଥାଏ । ଯେଉଁଥିପାଇଁ  ସବସିଡି ଉଠାଇବାକୁ ଦୀର୍ଘ ସମୟ ଧରି ଦାବି କରାଯାଉଥିଲା ।

ତେବେ ଏକଦା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଫି ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଠ ପଢାରେ ସବସିଡି ମିଳୁନଥିବା ବେଳେ ସାଂସଦ ମାନଙ୍କୁ କାହିଁକି କମ୍ ଦାମରେ ଖାଦ୍ୟ ମିଳୁଛି ସେନେଇ ଛାତ୍ରଛାତ୍ରୀ ମାନେ ସେ ସମୟରେ ଯୁକ୍ତିବାଢି ଥିଲେ ।

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରି ୨୯ ତାରିଖରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।

Leave a Reply