ଦେଶର ୩୦ ଜିଲ୍ଲାରେ କଡ଼ାକଡ଼ି ଭାବେ ଜାରି ରହିବ ଲକଡାଉନ, ଦିଲ୍ଲୀକୁ ମିଳିନପାରେ ଆଶ୍ୱସ୍ତି

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଲକଡାଉନ୍ ବଢ଼ିବା ଥୟ । ଲକଡାଉନ୍ ୪.୦ ନୂଆ ରୂପରେ ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇ ସାରିଛନ୍ତି । ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ତୃତୀୟ ପର୍ଯ୍ୟାୟ ଠାରୁ ଆହୁରି କଟକଣା ମୁକ୍ତ ହୋଇପାରେ । ତେବେ, ଦେଶର ୩୦ ଜିଲ୍ଲାରେ ଲକଡାଉନ୍ କଟକଣା କୋହଳ ହେବନାହିଁ । ଅର୍ଥାତ୍ ୩୦ଟି ଜିଲ୍ଲାରେ ଲକଡାଉନକୁ କଡ଼ାକଡ଼ି ଭାବେ ଲାଗୁ ରହିବ । ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଆଦି ଜିଲ୍ଲା ସହ ମହାରାଷ୍ଟ୍ରର ମୁମ୍ବାଇ, ଔରାଙ୍ଗାବାଦ, ପୁଣେ, ପାଲଘର, ନାସିକ ଓ ଠାଣେରେ ଲକଡାଉନକୁ ଆହୁରି କଡ଼ାକଡ଼ି କରାଯିବ ।

ଏହି ତାଲିକାରେ ତାମିଲନାଡ଼ୁର କୁଡ୍ଡାଲୋର, ଅରିୟାଲୁର, ବିଲ୍ଲୁପୁରମ, ତିରୁବଲ୍ଲୁର ସହ ଗୁଜରାଟର ଅହମଦାବାଦ, ବଡୋଦରା, ସୁରତରେ ଲକଡାଉନ୍ କଡ଼ାକଡ଼ି ଭାବେ ଜାରି ରହିବ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ମଧ୍ୟ ଏହି ଶ୍ରେଣୀରେ ଆସୁଛି । ତେଣୁ, ଦିଲ୍ଲୀରେ ମଧ୍ୟ ଲକଡାଉନରେ ରିହାତି ମିଳିନପାରେ ।

ମଧ୍ୟପ୍ରଦେଶର ଇନ୍ଦୋର ସମତେ ପଶ୍ଚିମବଙ୍ଗର ହାୱଡ଼ା, କୋଲକାତା ସହ ରାଜସ୍ଥାନର ଜୟପୁର, ଯୋଧପୁର ଓ ଉଦୟପୁର ଲକଡାଉନ୍ କଡ଼ାକଡ଼ି ରହିବ । ଉତ୍ତରପ୍ରଦେଶର ଆଗ୍ରା ଓ ମିରଟ ଏବଂ ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ, ତେଲଙ୍ଗାନର ଗ୍ରେଟର ହାଇଦ୍ରାବାଦ, ପଞ୍ଜାବର ଅମୃତସରରେ ଲକଡାଉନ୍ କଡ଼ାକଡ଼ି ରହିବ ।

ଓଡ଼ିଶାରେ କେଉଁ ଜିଲ୍ଲା ?

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୩୯ରେ ପହଞ୍ଚିଥିବା ବେଳେ ତାଲିକାର ଶୀର୍ଷରେ ରହିଛି ଗଞ୍ଜାମ । ୧୫ ଦିନ ମଧ୍ୟରେ ଜିଲ୍ଲାରେ ୨୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ଜିଲ୍ଲାରେ ୨୪୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ତେଣୁ, ଗଞ୍ଜାମ ଜିଲ୍ଲାରେ ଲକଡାଉନ୍ କୋହଳ ହେବନାହିଁ ।

କେତେଦିନ ବଢ଼ିବ ଲକଡାଉନ୍ ?

ଲକଡାଉନ୍ ୪.୦ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଗୃହ ସଚିବ ଓ ପିଏମଓର ବରିଷ୍ଠ ଅଧିକାରୀ ବୈଠକ କରିଥିଲେ । ୨ ଘଣ୍ଟା ଧରି ଚାଲିଥିବା ବୈଠକରେ ବିଭିନ୍ନ ରାଜ୍ୟର ପରାମର୍ଶ ଉପରେ ଆଲୋଚନା ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଲକଡାଉନ୍ ଆଉ ୨ ସପ୍ତାହ ଅର୍ଥାତ୍ ମେ ୩୧ ଯାଏଁ ବଢ଼ିପାରେ ।

ସରକାରଙ୍କ ପକ୍ଷରୁ ଆଜି ଲକଡାଉନ୍ ୪.୦ ନେଇ ନିର୍ଦ୍ଦେଶନାମା ଜାରି ହୋଇପାରେ । ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଅଟୋ, ବସ୍ ସହ କ୍ୟାବ ସେବାକୁ ଅନୁମତି ମିଳିପାରେ । କିନ୍ତୁ, କଣ୍ଟେନମେଣ୍ଟ ଜୋନରେ ପ୍ରତିବନ୍ଧକ ଜାରି ରହିବ । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଏହି ସବୁ ଅନ୍ୟ ସ୍ଥାନରେ ଉପଲବ୍ଧ ହେବ । ରେଡ୍ ଜୋନର ନୂଆ ନିୟମ ମଧ୍ୟ ଆସିପାରେ । ଇ-କମର୍ସ ବା ଅନଲାଇନରେ ଅଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ଡେଲିଭରୀକୁ ଅନୁମତି ମିଳିବାର ସମ୍ଭାବନା ରହିଛି । ଅଫିସ୍ ଓ ଫ୍ୟାକ୍ଟ୍ରି ଗୁଡ଼ିକରେ ୩୩ ପ୍ରତିଶତ ବଦଳରେ ୫୦ ପ୍ରତିଶତ କର୍ମଚାରୀ କାମ କରିବାକୁ ଅନୁମତି ମଧ୍ୟ ମିଳିପାରେ ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

Leave a Reply