ଲକଡାଉନ୍: ୬ ଦିନରେ ୧୧ ଶହ କିଲୋମିଟର ଅତିକ୍ରମ କରି ଘରବାହୁଡ଼ା

ଦିଗପହଣ୍ଡି: ଦେଶରେ ପଡ଼ିଛି ତାଲା । କାମଧନ୍ଦା ସବୁ ବନ୍ଦ । ନେଇଥିବା ଠିକାଦାର ମଧ୍ୟ ହାତ ଛାଡ଼ି ଦେଇଛି । ଏଭଳି ସ୍ଥିତିରେ ଭାତ ଗଣ୍ଡାଏ ମିଳିବା ବି ମୁସ୍କିଲ୍ । ଅଚିହ୍ନା ରାଇଜରେ ଅଭାବୀ ପେଟର ଭୋକ ବୁଝିବ ବା କିଏ ? ମାର୍ଚ୍ଚ ୨୫ରୁ ଲକଡାଉନ୍ ପରେ କାମ ନଥିବାରୁ ହାତବାନ୍ଧି ବସିଥିବା ୭ ଜଣ ଶେଷରେ ଗାଁକୁ ଫେରିଛନ୍ତି । ଗାଡ଼ି ମୋଟର ସହ ଟ୍ରେନ୍ ଚାଲୁନଥିବାରୁ ସାହାରା ପାଲଟିଥିଲା ସାଇକେଲ୍ ।

ଦେହରେ କଷ୍ଟ, ମୁହଁରେ ହସ । ଏହା ହେଉଛି ଭିଟାମାଟିକୁ ଫେରିବାର ହସ । ସୁଦୂର ଚେନ୍ନାଇରୁ ଦୀର୍ଘ ୧୧ ଶହ କିଲୋମିଟରକୁ ୬ ଦିନରେ ଅତିକ୍ରମ କରି ଚିକିଟି ବ୍ଲକର ସୋରଳ ଗାଁରେ ପହଞ୍ଚିଛନ୍ତି ୭ ଜଣ । ପ୍ରଶାସନ ତରଫରୁ ସେମାନଙ୍କୁ ସୋରଳ ମୁକ୍ତିଶ୍ୱର ବିଦ୍ୟାପୀଠ କ୍ୱାରେଣ୍ଟାଇନ୍ ଗୃହରେ ରଖାଯାଇଛି । ଚେନ୍ନାଇରୁ ଚିକିଟି, ସାଇକେଲରେ ଫେରିଛନ୍ତି ଜଗନ୍ନାଥ ବେହେରା, ଭଗବାନ ବେହେରା, କହେଁଇ ବେହେରା, ଅଶୋକ ବେହେରା, ନମିତା ବେହେରା, ଟଙ୍କଧର ଜାନି ଓ ମୁନ୍ନା ନାୟକ । ସମସ୍ତେ ଶ୍ରମିକ ଭାବେ ଚେନ୍ନାଇରେ କାମ କରୁଥିଲେ ।

ମହାମାରୀ କରୋନା ପାଇଁ ସରକାର ଲକଡାଉନ୍ ଘୋଷଣା କରିବା ପରେ ଚିନ୍ତାରେ ପଡ଼ି ଯାଇଥିଲେ ଏମାନେ । ଅଜଣା ରାଇଜରେ ଆହାର ମୁଠାକ ପାଇଁ ସଂଘର୍ଷ କରିଥିଲେ । ଶେଷରେ ପ୍ରତିଦିନ ପ୍ରାୟ ୨୦୦ କିମି ସାଇକେଲ ଚଳାଇ ଗାଁରେ ପହଞ୍ଚିଛନ୍ତି । ୬ ଦିନର ଚିକିଟି ଯାତ୍ରାରେ ସମସ୍ତେ ଭୁଲି ଯାଇଥିଲେ ଖାଇବା, ପିଇବା ଓ ଶୋଇବା । ଆଖି ଆଗରେ ନାଚୁଥିଲା ନିଜ ଭିଟାମାଟି, ଗାଁ ଓ ପ୍ରିୟଜନ ।

ଅନ୍ୟପଟେ ସୋମବାର ଚେନ୍ନାଇରୁ ଜଳପଥରେ ୨୭ ଜଣ ଶ୍ରମିକ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୧୦ ଜଣ ଥିବା ବେଳେ ୧୭ ଜଣ ଆନ୍ଧ୍ରପ୍ରଦେଶର । ଆନ୍ଧ୍ର ଇଚ୍ଛାପୁରମ୍ ପୋଲିସ ସମସ୍ତଙ୍କୁ ପୁସ୍ତପୁର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖିଛି । ଡଙ୍ଗାରେ ଫେରିଥିବା ୧୦ ଜଣଙ୍କ ମଧ୍ୟରୁ ୯ ଜଣ ଚିକିଟି ବ୍ଲକର ହୋଇଥିବା ବେଳେ ଜଣେ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର । ଚିକିଟି ତହସିଲଦାର, ବିଡିଓ ଲୋକ ପ୍ରତିନିଧି ଏନେଇ ଆନ୍ଧ୍ର ପ୍ରଶାସନ ଆଲୋଚନା କରିଥିବା ବେଳେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

କାଳୁ ଚରଣ ନାହାକ

 

Leave a Reply