ଅର୍ଥମନ୍ତ୍ରାଳୟର ବଡ଼ ନିଷ୍ପତ୍ତି, ସୁଧ ଉପରେ ସୁଧ ବାବଦରେ କଟିଥିବା ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଫେରିବ

Bank

ନୂଆଦିଲ୍ଲୀ: ଅର୍ଥମନ୍ତ୍ରାଳୟର ବଡ଼ ନିଷ୍ପତ୍ତି, କରୋନା କାଳରେ ବ୍ୟାଙ୍କ ଯଦି ସୁଧ ଉପରେ ସୁଧ ନେଇଛି, ଏବେ ତାହା ଫେରାଇବ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଲୋନ୍‌ ମୋରାଟୋରିୟମ ଅବଧି ମଧ୍ୟରେ ସୁଧ ଉପରେ ସୁଧ ଛାଡ଼ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥମନ୍ତ୍ରାଳୟର ଏହି ନିଷ୍ପତ୍ତି, ପ୍ରାୟ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ସବୁ ଲୋକଙ୍କ ପାଇଁ ଲାଭଦାୟକ ହେବ ।

ଏହି ସ୍କିମ୍‌ ଅଧିନରେ ମାର୍ଚ୍ଚ ଆରମ୍ଭରୁ ୩୧ ଅଗଷ୍ଟ ମଧ୍ୟରେ ଯେଉଁମାନଙ୍କଠାରୁ ସୁଧ ଉପରେ ସୁଧ ନିଆଯାଇଛି ସେମାନଙ୍କୁ ସୁଧ ଫେରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ଫାଇଦା କେବଳ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତି ହିଁ ପାଇପାରିବେ । ସୁପ୍ରିମ୍‌କୋର୍ଟ ଏହି ମାମଲାରେ ଶୁଣାଣି କରି ଯଥାଶୀଘ୍ର ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅର୍ଥମନ୍ତ୍ରାଳୟର ସୂଚନାନୁଯାୟୀ, ଫେବ୍ରୁଆରୀ ୨୯ ମଧ୍ୟରେ ଯେଉଁମାନଙ୍କ ଋଣ ପରିମାଣ ଦୁଇ କୋଟିରୁ କମ୍‌ ରହିଛି ସେହିମାନେ ହିଁ ଏହି ସୁବିଧା ପାଇପାରିବେ । ଏହି ସ୍କିମ୍‌ ଏମ୍‌ଏସ୍‌ଏମ୍‌ଇ ଓ ବ୍ୟକ୍ତିଗତ ଋଣ ପାଇଁ ଉପଲବ୍ଧ ।

ମୋରାଟୋରିୟମ୍‌ ଅବଧି ସମୟରେ ନିଆଯାଇଥିବା ସୁଧ ଉପରେ ସୁଧକୁ ଉକ୍ତ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ସ୍ଥିର ହୋଇଛି ।

ଏହି ସୁବିଧା ମୁଖ୍ୟତଃ ଏମ୍ଏସ୍ଏମ୍ଇ, ଶିକ୍ଷା, ଘର, ଗାଡ଼ି ପାଇଁ ଋଣ ନେଇଥିବା ବ୍ୟକ୍ତି ହିଁ ଉଠାଇପାରିବେ । ତେବେ ଅଗଷ୍ଟରେ ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ଟିପ୍ପଣୀ ଦେଇଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ, କେନ୍ଦ୍ର ସରକାର କେବଳ ବ୍ୟବସାୟ ଉପରେ ଆଗ୍ରହ ଦେଖାଇ ପାରିବେ ନାହିଁ । ଲୋକଙ୍କ ସମସ୍ୟାକୁ ମଧ୍ୟ ଦେଖିବାକୁ ପଡ଼ିବ ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ସମୟରେ ଦେଶର ଅର୍ଥନୀତି ଉପରେ ପଡ଼ିଥିବା ପ୍ରଭାବ କାରଣରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ ସୁଝିବା ପାଇଁ ଅଧିକ ସମୟ ଦିଆଯାଇଥିଲା ।

Leave a Reply