ନିଘୋଡ଼ ନିଦ୍ରାରେ ପ୍ରଶାସନ ଓ ଅବକାରୀ ବିଭାଗ, ଦିନ-ରାତି ୨୪ ଘଣ୍ଟା ଚାଲିଛି ମଦ ବେପାର

ପାରାଦୀପ : ମଦ କଟକଣା କୋଭିଡ୍ ସମୟରେ ଏକ ବଡ କଟକଣା । ମଦ ଦୋକାନ ଖୋଲିବା ନେଇ ରହିଛି ନିୟମ । ହେଲେ ପାରାଦୀପରେ ଅନେକ ମଦ ଦୋକାନ ୨୪ ଘଣ୍ଟିଆ ବେଆଇନ ଭାବେ ମଦ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠୁଛି । ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପ ଆଦର୍ଶ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ପୋଲିସର ଅଜାଣତରେ ଚାଲୁଛି ମଦ କାରବାର ।  ମଦ ଦୋକାନକୁ ବାହାରୁ ତାଲା ପକାଇ ଭିତରେ ବେପାର କରୁଛନ୍ତି ଦୋକାନ କର୍ମଚାରୀ ।

ଦିନ ରାତି ୨୪ ଘଣ୍ଟା ଯେତେବେଳେ ଗଲେ ମଦ ମିଳୁଛି । ନିୟମ ଅନୁଯାୟୀ, ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରହିବା କଥା । ହେଲେ ନିୟମ ମାନିବାକୁ କିମ୍ୱା ମନେଇବାକୁ ସେଠି କେହି ନାହାନ୍ତି । ସେହିଭଳି ନିର୍ଦ୍ଧାରିତ ସମୟରେ ମଦ ଦର ସ୍ୱାଭାବିକ ରହୁଥିବା ବେଳେ ସନ୍ଧ୍ୟା ୬ ପରେ ମଦ ରେଟରେ କଳାବଜାରୀଙ୍କ ଜୁଲମ ମଧ୍ୟ ମିଶୁଛି । ୧୫୦ର ମଦକୁ ୨୫୦ ଟଙ୍କାରେ ବିକ୍ରି କରାଯାଉଛି । ତେବେ ପ୍ରଶ୍ନ – ଏକରେ ତ ସରକାରଙ୍କ ନିର୍ଦ୍ଧାରିତ ସମୟସୀମାରୁ ଅଧିକ ସମୟ ମଦ ଦୋକାନ ଖୋଲିବା ଓ ୨ୟରେ କଳାବଜାରୀ କରିବା । ପୁଣି କୋଭିଡ୍ ଭଳି ସମ୍ୱେଦନଶୀଳ ସମୟରେ ।

ପାରାଦୀପର ପ୍ରାୟ ସବୁ ମଦ ଦୋକାନରେ ଏଭଳି ବେପାର ଚାଲୁଛି । ପାରାଦ୍ବୀପ ଗଡ, ଦୋଛକି, ଇଫକୋ ଛକ, ତାରେଣୀଗଡା, ଅଠରବାଙ୍କି, ବଡପଡିଆ ମାର୍କେଟରେ ଥିବା ୫ଟି ମଦ ଦୋକାନ  ଓ ଷଣ୍ଢକୁଦ ବସ୍ତି ଓ ନେହେରୁବଙ୍ଗଳା ରେ ଥିବା ମଦ ଦୋକାନ ରେ ମଧ୍ୟ ସମାନ ଅବସ୍ଥା । ତେବେ ଏସବୁ ବନ୍ଦ କରିବା ପରିବର୍ତ୍ତେ ପ୍ରଶାସନ କ’ଣ କରୁଛି ତାକୁ ନେଇ ପ୍ରଶ୍ନ ଉଠୁଛି । ପାରାଦୀପର ଅବକାରୀ ଅଫିସରଙ୍କୁ ଟେଲିଫୋନ୍ ଯୋଗେ ସମ୍ପର୍କ କରିବା ସମ୍ଭବପର ହେଉନି । ଅବକାରୀ ବେଆଇନ ଭାବେ ଖୁଲମଖୁଲା ବିକ୍ରି ହେଉଥିଲେ ମଧ୍ୟ ବିଭାଗ ଏନେଇ ସଚେତନ ନାହିଁ । ଆଉ ବାକି ରହିଲେ ୫ଟି ଥାନା ଓ ୨ଟି ଫାଣ୍ଡି । ଏମାନେ ମଧ୍ୟ ନୀରବଦ୍ରଷ୍ଟା । ସେପଟେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ବଢୁଛି । ଘଟଣାର ସାମାଧାନ ଖୁବ୍ ଶୀଘ୍ର ନହେଲେ ରାସ୍ତାକୁ ଓହ୍ଲେଇବା ନେଇ ଚେତାବନୀ ଦେଇ ସାରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply