ଅଭିନୟରୁ ନିର୍ଦ୍ଦେଶନା ଓ ରାଜନୀତି, ବିଜୟଙ୍କ ଜୀବନ ଯାତ୍ରାର କାହାଣୀ

1 min read

ଭୁବନେଶ୍ୱର: ଖ୍ୟାତନାମା ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ୭୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ । ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁ ଜନ୍ମ ନେଇଥିଲେ । ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରି, ବର୍ତ୍ତମାନ ସୁଦ୍ଧା ୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡ଼ିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

FILE

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକାର ବସନ୍ତ ମହାପାତ୍ରଙ୍କ ଡାକରାରେ ‘ସଂକଳ୍ପ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ କଟକ ଚାଲି ଆସିଥିଲେ । କିନ୍ତୁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା । ୧୯୭୭ ମସିହା ଜାନୁଆରୀ ୧୪ରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେହି ବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ । ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, ନାଗଫାସ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା ।

FILE

୧୯୮୩ ମସିହାରେ କାବେରୀ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା । ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ ଭୁଲି ହୁଏନା ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ । ମାତ୍ର ତାହା ସଫଳ ହୋଇପାରିନଥିଲା । ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି । ୨୦୧୪ ମସିହାରେ ବିଜୟ କଂଗ୍ରେସ ଦଳରେ ସଭ୍ୟଭାବରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିଜୟ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ଝିଅ ଅଛି ।

ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ

Leave a Reply