ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସାରା, ପରିବର୍ତ୍ତନ ହେବ ଝିଅମାନଙ୍କ ବିବାହ ବୟସ

ନୂଆଦିଲ୍ଲୀ: ଦେଶରେ ଝିଅମାନଙ୍କ ବିବାହ ବୟସ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ଇସାରାରୁ ଏଭଳି ଆକଳନ କରାଯାଉଛି । ଆଇନ ଅନୁଯାୟୀ ବର୍ତ୍ତମାନ ଝିଅମାନଙ୍କର ବିବାହ ବୟସ ଭାରତରେ ସର୍ବନିମ୍ନ ୧୮ ବର୍ଷ ରହିଛି  । ଏହାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର  । ଏହି ପ୍ରସଙ୍ଗରେ ଅଧିକ ଅନୁଧ୍ୟାନ ଓ ବିଚାରବିମର୍ଶ କରିବା ପାଇଁ ଏକ କମିଟି ଗଠନ କରାଯାଇଛି  ।

ସମାଜସେବୀ ଜୟା ଜେଟ୍‌ଲୀଙ୍କ ନେତୃତ୍ୱରେ ଏହି କମିଟି କାମ କରିବ । କମ୍ ବୟସରେ ମହିଳାମାନେ ମା’ ହେବା ଏବଂ ଅପପୁଷ୍ଟି ସମସ୍ୟା ଏଡାଇବା ପାଇଁ ସରକାର ଚିନ୍ତା କରୁଛନ୍ତି  । ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏନେଇ ଘୋଷଣା କରିଥିଲେ । ବିକାଶଶୀଳ ଦେଶରେ ଝିଅମାନଙ୍କ ବିବାହ ବୟସକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସୀତାରମଣ କହିଥିଲେ । କମ୍ ବୟସରେ ବିବାହ କରି ମହିଳାମାନେ ମା’ ହେଉଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହୁଛି  । ଏଥିପାଇଁ ସରକାର ବିବାହ ବୟସ ବଢ଼ାଇବାକୁ ଚାହୁଛନ୍ତି  ।

୧୯୭୮ ମସିହାରେ ଆଇନ  ପରିବର୍ତ୍ତନ କରି ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ଧାର୍ଯ୍ୟ କରାଯାଇଥିଲା  । ଝିଅମାନେ କମ୍ ବୟସରେ ବିବାହ କରୁଥିବାରୁ ସେମାନଙ୍କର ଶିକ୍ଷା ଅଧିକାର ବା ସୁଯୋଗ ହାତଛଡା ହେଉଛି ବୋଲି କୁହାଯାଇଛି  । ୨୦୧୧ ଜନଗଣନା ରେକର୍ଡ ଅନୁସାରେ ଭାରତରେ ୫୬ ପ୍ରତିଶତ ଝିଅ ୧୮ରୁ ୨୧ ବର୍ଷ ଭିତରେ ବିବାହ କରୁଛନ୍ତି  । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର ।

Leave a Reply