ମହିଳା SIଙ୍କ ମାନବିକତା; ଗ୍ରାମବାସୀ ଆସିଲେନି, ନିଜେ କାନ୍ଧରେ ବୋହିଲେ ବୃଦ୍ଧଙ୍କ ମୃତଦେହ

1 min read
Lady SI Sirisa

ଶ୍ରୀକାକୁଲମ୍: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ର ଜଣେ ମହିଳା ସବ୍-ଇନ୍ସପେକ୍ଟର କର୍ତ୍ତବ୍ୟର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ସେ କାନ୍ଧରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ ଏକ କିଲୋମିଟର ଯାଏଁ ବୋହି ବୋହି ଆଣିଛନ୍ତି । ଏହି ଘଟଣା କାଜୁ ଉତ୍ପାଦନ ପାଇଁ ପରିଚିତ ଥିବା ପଲାସା ଅଞ୍ଚଳର ବୋଲି ସୂଚନା ରହିଛି । ସ୍ଥାନୀୟ ଡିଜିପି ଗୌତମ ସାୱାଙ୍ଗ ମହିଳା ଏସ୍‌ଆଇଙ୍କ ମାନବିକତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ମହିଳା ସବ୍-ଇନ୍ସପେକ୍ଟର କୋଟୁରୁ ସିରିଶାଙ୍କ କହିବାନୁଯାୟୀ, ବିଲ ମଝିରେ ଜଣେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ସେ ଖବର ପାଇଥିଲେ, ଉକ୍ତ ବୃଦ୍ଧ ଜଣକ ଜଣେ ଭିକାରି ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜାଣିଥିଲେ । ତାଙ୍କ ମୃତଦେହକୁ ବିଲଠାରୁ ଗାଡ଼ି ପର୍ଯ୍ୟନ୍ତ ଆଣିବାକୁ ରାସ୍ତା ମଧ୍ୟ ନଥିଲା । ତେଣୁ ସେ କିଛି ଗାଁ ଲୋକଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ । ହେଲେ କେହି ସାମ୍ନାକୁ ଆସିଲେ ନାହିଁ । ତେଣୁ ସେ ନିଜେ ହୋଇ ଉକ୍ତ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ କାନ୍ଧରେ କାନ୍ଧେଇ ଗାଡ଼ି ପର୍ଯ୍ୟନ୍ତ ଆଣିଥିଲେ ।

ଅନାହାର ଯୋଗୁଁ ମୃତ୍ୟୁ !
ଉକ୍ତ ମହିଳା ଏସ୍‌ଆଇ ଜଣକ ଫାର୍ମାସି ଅଧ୍ୟୟନ କରିଛନ୍ତି । ତେଣୁ ସେ ମୃତଦେହକୁ ଦେଖି ଅନୁମାନ କରୁଛନ୍ତି ଯେ, ଅନାହାର ଯୋଗୁଁ ଏହି ମୃତ୍ୟୁ ହୋଇଥାଇପାରେ । କାରଣ ବୃଦ୍ଧଙ୍କ ଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ । କିମ୍ବା ତାଙ୍କୁ କେହି ହତ୍ୟା କରିଥିବା ଭଳି ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡ଼ୁ ନାହିଁ । ବୃଦ୍ଧ ଜଣକ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲେ ତେଣୁ ଏହା ଅନାହାର ମୃତ୍ୟୁ କୁହାଯାଇପାରେ ।

ତେବେ ମୃତଦେହକୁ ମହିଳା ଏସ୍‌ଆଇ ନିଜେ ଏକ ଷ୍ଟ୍ରେଚର ମାଧ୍ୟରେ କାନ୍ଧେଇଲେ ଓ ଏଥିରେ ତାଙ୍କୁ ଲଲିତା ଟେଷ୍ଟର ସଦସ୍ୟ ସହଯୋଗ କରିଥିଲେ । ବିଲ ମଝିରୁ ପୋଲିସ ଗାଡ଼ି ପର୍ଯ୍ୟନ୍ତ ବୋହି ଆଣିବାକୁ ପ୍ରାୟ ୨୫ ମିନିଟ୍‌ ସମୟ ଲାଗିଥିଲା । ଏହା ଦେଖିବା ପରେ କିଛି ଗ୍ରାମବାସୀ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପାଇଁ ଆଗକୁ ଆସିଲେ ।

‘ମୁଁ କେବଳ ମୋର କର୍ତ୍ତବ୍ୟ କରିଛି’
୧୨ ବର୍ଷର ଶିଶୁର ମାଆ ସିରିଶା କହିଛନ୍ତି ଯେ, ବାପାଙ୍କ ସ୍ୱପ୍ନ ଥିଲା ତାଙ୍କ ଝିଅକୁ ପୋଲିସ ୟୁନିଫର୍ମରେ ଦେଖିବା । ଶବକୁ କାନ୍ଧରେ ବୋହିବାର ଅଭିଜ୍ଞତା ସମ୍ପର୍କରେ ସେ କହିଛନ୍ତି, ‘ମୁଁ ଲୋକଙ୍କ ସେବା କରିବା ପାଇଁ ପୋଲିସ ଫୋର୍ସରେ ଯୋଗଦେଇଛି । ମୋର ଲକ୍ଷ୍ୟ ହେଉଛି ସମାଜକୁ ମୋର ସେବା ଦେବା । ମୃତ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନ ମଳିବାର ଅଧିକାର ରହିଛି । ମୁଁ କେବଳ ମୋର କର୍ତ୍ତବ୍ୟ କରିଛି ।

Leave a Reply