୨୦୨୦ ଜାନୁଆରୀରୁ ଶ୍ରମ ବିଭାଗରେ ଲାଗୁ ହେବ ମୋ ସରକାର, ଦାଦନ ରୋକିବାକୁ ହେବ ବଡ଼ ଘୋଷଣା

1 min read

ଭୁବନେଶ୍ୱର : ୨୦୨୦ ଜାନୁଆରୀ ମାସରେ ମୋ ସରକାରରେ ସାମିଲ ହେବ ଶ୍ରମ ବିଭାଗ । ଯେଉଁ ସରକାରୀ ଅଧିକାରୀ ଚଂଚକତା କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।


ସେ ଆହୁରି କହିଛନ୍ତି ଯେ, କେହି ବି ଚାହୁଁନାହାନ୍ତି ସରକାରୀ ଅଧିକାରୀ ଦଣ୍ଡିତ ହୁଅନ୍ତୁ । ସେଥିପାଇଁ ସେମାନଙ୍କୁ ଭଲ କାମ କରିବାକୁ ପଡ଼ିବ । ଦଲାଲଙ୍କ ହାବୁଡ଼ରେ ଯେମିତି ଶ୍ରମିକ ନ ପଡ଼ନ୍ତୁ, ସେ ନେଇ ବିଭାଗ ସଚେତନ ଅଛି । ଦଲାଲଙ୍କ ଖବର ମିଳିଲେ ତୁରନ୍ତ ପଦକ୍ଷେପ ନିଆଯାଉଛି । ୫ଟି ରାଜ୍ୟରେ ଓଡ଼ିଶା ଶ୍ରମିକଙ୍କ ପାଇଁ ହେଲ୍ପଡେସ୍କ ଖୋଲାଯାଇଛି । ଏହି ୫ ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ ।


ବିଦେଶକୁ ଯାଉଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରିବାକୁ ଦିଲ୍ଲୀଠାରେ ସ୍ୱତନ୍ତ୍ର ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଦାଦନ ରୋକିବାକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବେ । ହେଲେ ଦାଦନ ସମସ୍ୟା ଦଶନ୍ଧିରୁ ଚାଲିଛି, କାରଣ ସଚେତନତାର ଅଭାବ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ଏହି ସମସ୍ୟା ଅଧିକ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରମ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ମୋ ସରକାର ସଚେତନତା କର୍ମଶାଳାରେ ଯୋଗଦେଇ କହିଛନ୍ତି । ଏଥିରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ସୁବାଷ ସିଂ, ଶ୍ରମ କମିଶନର ନିରଂଜନ ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଥାନା ଓ ଡାକ୍ତରଖାନାରେ ଲାଗୁ ହୋଇଥିବା ମୋ-ସରକାର ଧିରେ ଧିରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ପଞ୍ଚାୟତି ରାଜ ବିଭାଗରେ ମଧ୍ୟ ଲାଗୁ କରାଯାଇଛି । ଲୋକଙ୍କୁ ଉତ୍ତମ ସରକାରୀ ସେବା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏହାର ଆରମ୍ଭ କରିଛନ୍ତି ।

Leave a Reply