କଟକ: ନିଶାମୁକ୍ତି ଭାରତ ଅଭିଯାନରେ ବ୍ରାଣ୍ଡ ଆମ୍ବାସଡ଼ର ହେଲେ କୁନା ତ୍ରିପାଠୀ

କଟକ : ପାନ, ବିଡ଼ି ନୁହେଁ ଛୋଟିଆ ନିଶା । ଆସ୍ତେ ଆସ୍ତେ କରି ଟାଣେ ପଇସା । ନିଶା ଯେ କେବଳ ଆର୍ଥିକ ଭାବେ କ୍ଷତି କରିଥାଏ, ତାହା ନୁହେଁ । ଏହା ଆମକୁ ସ୍ୱାସ୍ଥ୍ୟଗତ ଭାବରେ ମଧ୍ୟ ବହୁତ କ୍ଷତି କରାଇଥାଏ । ତେଣୁ ନିଶା ଠାରୁ ଆମେ ଦୂରରେ ରହିବ ଉଚିତ । ସବୁ ପ୍ରକାର ନିଶାଦ୍ରବ୍ୟଠୁ ନିଜକୁ ଯଥା ସମ୍ଭବ ଦୂରରେ ରଖିବା ଉଚିତ । ନିଶାମୁକ୍ତ ସମାଜ ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି । ସେହିକ୍ରମରେ କଟକ ଜିଲାରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ପାଇଁ ସତ୍ୟବ୍ରତ ତ୍ରିପାଠୀ(କୁନା)ଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଛି ।

ଗତ ୧୪ ତାରିଖରେ ଏ ନେଇ କଟକ ଜିଲ୍ଲାପାଳଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ସେଲ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ନିଶାମୁକ୍ତ ଭାରତ ଅଭିଯାନ ପାଇଁ କୁନା ତ୍ରିପାଠୀଙ୍କୁ ଜିଲାର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତ କରାଯାଇଛି । ଆଗାମୀ ଦିନରେ କୁନାଙ୍କ ଆବାହକତ୍ୱରେ ଜିଲା ବ୍ୟାପୀ ନିଶାମୁକ୍ତ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

ଏଥିରେ ସଚେତନତା କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, ବିଜ୍ଞାପନ ଆଦି ଅନ୍ତର୍ଭୁକ୍ତ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ, କୁନା ତ୍ରିପାଠୀ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସିନେମା, ଧାରାବାହିକ ଏବଂ ମନୋରଞ୍ଜନ ଧର୍ମୀ ସଚେତନତା କାର୍ଯ୍ୟକ୍ରମ ଜରିଆରେ କୁନା ତ୍ରିପାଠୀ ଏକ ଘରେ ଘରେ ପରିଚିତ ନାମ । କୁନାଙ୍କ ଯୋଗଦାନ ଆଗାମୀ ଦିନରେ କଟକ ଜିଲାରେ ନିଶାମୁକ୍ତ ଅଭିଯାନକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।

 

Leave a Reply