ବ୍ୟାଟେରୀଚାଳିତ ଗାଡ଼ିରେ ସଫେଇ; ଦାୟିତ୍ୱରେ ସ୍ୱୟଂ ସହାୟକ ଗୋଷ୍ଠୀ

କୋରାପୁଟ: କୋରାପୁଟ ଜିଲ୍ଲାରେ କୋଟପାଡ ବିଜ୍ଞାପିତ ପରିଷଦ ଅଞ୍ଚଳ ଏକ ଅଭିନବ ପ୍ରୟାସ କରିଛି । ପ୍ରଥମ କରି ସହରରେ ଆବର୍ଜନା ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଛି । ଏହି ଗାଡିର ଚାଳକ ମଧ୍ୟ ଜଣେ ମହିଳା ରହିବେ  ଓ ଏହି କାର୍ଯ୍ୟରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସାମିଲ କରାଯିବ । ତେବେ ଗାଡି ଚାଳକମାନଙ୍କୁ ପ୍ରଥମେ ଏନେଇ ପ୍ରଶିକ୍ଷଣ ଦିଆଯିବ ।

ପ୍ରଶିକ୍ଷଣ ନେଇ ସାରିବା ପରେ ଉକ୍ତ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ସହାୟକରେ ସଫେଇ କାର୍ଯ୍ୟ ହେବ । ପ୍ରତ୍ୟହ ଏହି ଗାଡ଼ି ପ୍ରତି ୱାର୍ଡରେ ପହଞ୍ଚି ଆବର୍ଜନା ସଂଗ୍ରହ କରିବେ । ତେବେ ଆଜି ଏହି ଗାଡ଼ିର ଉଦଘାଟନ ହୋଇଛି । ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ଗାଡ଼ିକୁ ଉଦଘାଟନ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉଭୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇଟି ବଡ ବାର୍ତ୍ତା ଦେବା କଥା କହିଛନ୍ତି । କୁହାଯାଇଛି ଯେ, ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ ଅକ୍ଷୟ ଶକ୍ତିର ଉପଯୋଗ କରି ପ୍ରଦୂଷଣର ମାତ୍ରା କମ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଲୋକେ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

Leave a Reply