ରାଜସ୍ଥାନର କୋଟାରେ ଶିଶୁ ମଡ଼କ : ସେପଟେ ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଛାଗଲା ରେଡ୍ କାରପେଟ୍

କୋଟା : ରାଜସ୍ଥାନର କୋଟା ହସ୍ପିଟାଲରେ ଶିଶୁ ମଡ଼କକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ଗେହଲଟ ସରକାରଙ୍କୁ ଭାଜପା ଏବଂ ବିଏସ୍‌ପି ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶିଶୁ ମୃତ୍ୟୁକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି ଉଭୟ ଦଳ । ସ୍ଥିତି ଅନୁଧ୍ୟାନ କରି ଡାକ୍ତରୀ ସୁବିଧା ଉପଲବ୍ଧ କରାଇବା ପାଇଁ ଆଜି ଏକ କେନ୍ଦ୍ରୀୟ ଟିମ୍‌ କୋଟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ରାଜସ୍ଥାନର କୋଟା ସ୍ଥିତ ଜେକେ ଲୋନ ଡାକ୍ତରଖାନାରେ ନବଜାତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ଏଯାବତ ୧୦୫କୁ ଟପିବା ସୂଚନା ମିଳିଛି । ଜାନୁଆରୀ ୧ ତାରିଖରେ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଦିନ ଆଉ ଏକ ଶିଶୁର ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ମନ୍ତ୍ରୀ ପ୍ରତାପ ସିଂହ ଏବଂ କୋଟାର ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା କୋଟା ପହଞ୍ଚିଥିଲେ । ତେବେ ମନ୍ତ୍ରୀଙ୍କ ଆସିବା ଖବର ପାଇ ଡାକ୍ତରଖାନାରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ ହୋଇଥିଲା । ତାଙ୍କ ସ୍ୱାଗତ ପାଇଁ ରେଡ୍ କାରପେଟ ମଧ୍ୟ ବିଛା ଯାଉଛି । ଅନ୍ୟପଟେ ଅନେକ ଲୋକ ବିରୋଧ ପ୍ରଦର୍ଶନରେ ସାମିଲ ହେବା କାରଣରୁ ଅନେକଙ୍କୁ ଅଟକ ରଖାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରାଜସ୍ଥାନ ସରକାରଙ୍କୁ ଏକ ପତ୍ର ଲେଖି ଏହି ବିଷୟ ଉପରେ ଦୃଷ୍ଟିଦେବାକୁ ପରାମର୍ଶ ଦେଇଛନ୍ତି। ଏହାସହ କେନ୍ଦ୍ର ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଗେହଲଟ ହର୍ଷବର୍ଦ୍ଧନଙ୍କୁ ଫୋନ୍‌ କରି ହସ୍ପିଟାଲ ପରିଦର୍ଶନ ପାଇଁ ଡାକିଛନ୍ତି। ଏହି ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିପରି ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଛି ତାହା ହର୍ଷବର୍ଦ୍ଧନ ନିଜେ ଆସି ଦେଖନ୍ତୁ ବୋଲି ସେ ଟୁଇଟ୍‌ କରିଛନ୍ତି। ଇତିମଧ୍ୟରେ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ପୂର୍ବ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ଭାଜପା କ୍ଷମତାରେ ଥିବାବେଳେ ହସ୍ପିଟାଲଗୁଡ଼ିକରେ ଉପଯୁକ୍ତ ସୁବିଧା କରି ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି ।

କୋଟାର ଏହି ଜେକେଲୋନ ଡାକ୍ତରଖାନାରେ ୩୦ ଏବଂ ୩୧ ଡିସେମ୍ବରରେ ୯ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏହାସହିତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୧୦୫ରେ ପହଞ୍ଚିଛି । ଗତ ଦୁଇ ଦିନ ମଧ୍ୟରେ ଆଉ ଚାରି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଡାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି ଯେ, ୨୦୧୮ ମସିହାରେ ୧୦୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ ଏହାର ସଂଖ୍ୟ ବହୁତ୍ କମିଛି । ଅଧିକାଂଶ ଶିଶୁଙ୍କ ମୃତ୍ୟୁ, ଜନ୍ମ ସମୟରେ କମ ଓଜନ ଥିବା କାରଣରୁ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ ସରକାରୀ ଭାବେ କୁହାଯାଇଛି ।

Leave a Reply