ଲକଡାଉନବେଳେ ଏମାନଙ୍କ ଫଟୋରେ କାନ୍ଦିଥିଲା ସାରା ଦେଶ: ଜାଣନ୍ତୁ ଏବେ କେଉଁଠି ଓ କେମିତି ଅଛନ୍ତି ଏମାନେ

1 min read

ଭୁବନେଶ୍ୱର: ୨୦୨୦ ମାର୍ଚ୍ଚ ୨୫ ଏହା ସେହି ତାରିଖ ଯେବେ ସବୁ ଭାରତୀୟଙ୍କ ଜୀବନ ଅଟକିଯାଇଥିଲା। ମହାମାରୀ କରୋନା ଭାଇରସ ମୁକାବିଲା କରିବାପାଇଁ ସାରା ଦେଶରେ ଏହି ଦିନଠୁ ଲକଡାଉନ୍ କରିଦିଆଯାଇଥିଲା। ଅନେକ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ଦୁଃଖ ତ କହିଲେ ନ ସରେ। ମାର୍ଚ୍ଚ ୨୪ ମଧ୍ୟରାତ୍ରୀରୁ ରାସ୍ତା ଘାଟ, ଗମନାଗମନ, ଦୋକାନ ବଜାର ସବୁ କିଛି ବନ୍ଦ ହୋଇଯାଇଥିଲା। ଜନଜୀବନ ଏକ ପ୍ରକାରର ଠପ୍ ହୋଇଯାଇଥିଲା। ପ୍ରବାସୀମାନେ ରୋଜଗାର ହରାଇଥିଲେ। ଫଳରେ ପାଖରେ ଦୁଇ ମୁଠା ଖାଇବାକୁ ବି ନଥିଲା। ତେଣୁ ଏପରି ଅବସ୍ଥାରେ ଘରକୁ ଫେରିବା ହିଁ ଗୋଟିଏ ମାତ୍ର ରାସ୍ତା ଥିଲା। ଗାଡ଼ିମଟର ବନ୍ଦ ଥିବାରୁ କିଏ ସାଇକେଲରେ ବାହାରିଲା ତ ପୁଣି କିଏ ଚାଲି ଚାଲି ହଜାର ହଜାର କିଲୋମିଟର ପାର କଲା। ଏହି ସମୟର କରୂଣ ଚିତ୍ର ସୋଶାଲ୍ ମିଡିଆରେ ଭାଇରାଲ ହେଉଥିଲା। ଯାହାକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଉଥିଲା।

ଆଜି ଆମେ ଲକଡାଉନ ସମୟରେ ସେହିଭଳି କିଛି ଲୋକଙ୍କ ବିଷୟରେ ଜଣାଇବୁ ଯେଉଁମାନଙ୍କ ଫଟୋ ଲକଡାଉନ ସମୟରେ ବେଶ୍ ଭାଇରାଲ ହୋଇଥିଲା। ଆସନ୍ତୁ ଜାଣିବା ସେମାନେ ଏବେ କେଉଁଠି ଓ କିପରି ଅବସ୍ଥାରେ ଅଛନ୍ତି।

ଦରଭଙ୍ଗାର ସାଇକେଲ ଗର୍ଲ: ଦରଭଙ୍ଗାର ଜ୍ୟୋତି କୁମାରୀ ଲକଡାଉନ ବେଳେ ବେସ୍ ଭାଇରାଲ ହୋଇଥିଲେ । ସେ ସାଇକେଲ ରେ ନିଜ ପିତାଙ୍କୁ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ଯାଏ ଆଣିଥିଲେ  ୭ ଦିନରେ ପ୍ରାୟ ୧୨ ଶହ କିଲୋମିଟର ସାଇକେଲିଂ କରି ସେ ଆସିଥିଲେ। ଜ୍ୟୋତିଙ୍କର ଏହି ସମୟର ଫଟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ୱିଟ୍ କରିଥିଲେ। ତା ପରେ ସେ ଚର୍ଚ୍ଚା ଘେରକୁ ଆସିଥିଲେ। ତାଙ୍କ ଉପରେ ଫିଲ୍ମ ତିଆରି କରିବାକୁ ମଧ୍ୟ ଚର୍ଚ୍ଚା ହେଲା। ତାଙ୍କୁ କିଛି ସାଇକେଲ କମ୍ପାନୀ ସାଇକେଲିଂ ଟ୍ରେନିଂ ଦେବା ପାଇଁ ମଧ୍ୟ କହିଥିଲେ।

ଏବେ କେମିତି ଅଛନ୍ତି: ତେବେ ଦୀର୍ଘ ୬ ମାସ ପରେ ଏବେ ଜ୍ୟୋତିଙ୍କୁ ସମସ୍ତେ ଭୁଲିଯାଇଛନ୍ତି। ତାଙ୍କୁ ନେଇ ଚର୍ଚ୍ଚା ବନ୍ଦ ହେବା ସହ ତାଙ୍କୁ ମିଳୁଥିବା ଅଫରଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଛି। କେବଳ ପ୍ରଶାସନ ତାଙ୍କୁ ମାଗଣାରେ ସ୍କୁଲରେ ନାମ ଲେଖାଇଛି। ଜ୍ୟୋତିଙ୍କ କହିବା ଅନୁଯାୟୀ କିଛି ଲୋକ ତାଙ୍କ ପାଠ ପଢ଼ା ଖର୍ଚ୍ଚର ଦାୟିତ୍ୱ ବହନ କରିବେ ବୋଲି ମଧ୍ୟ କହିଥିଲେ। ଅନ୍ୟ କିଛି ଲୋକ ତାଙ୍କ ଘର ଛୋଟ ଥିବାରୁ ତାଙ୍କୁ ଗାଁରେ ଜମି ଦେବା କଥା ମଧ୍ୟ କହି୍ଥିଲେ । ହେଲେ ସେ ସବୁ କେବଳ କଥାରେ ହିଁ ରହିଗଲା।

ୟୁପିର ଅମୃତ:  ୨୫ ବର୍ଷୀୟ ଅମୃତ ଏକ ଟ୍ରକ୍ ଯୋଗେ ଗୁଜୁରାଟର ସୁରଟରୁ ୟୁପିର ବସ୍ତି ଜିଲ୍ଲାର ନିଜ ଘରକୁ ଫେରୁଥିଲେ। ଅଧା ବାଟରେ ଅମୃତଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ସାଙ୍ଗମାନେ ଭାବିଲେ ଯେ ଅମୃତଙ୍କୁ କରୋନା ହେଇଛି, ତେଣୁ ଭୟରେ ସେମାନେ ତାଙ୍କୁ ସେଇଠି ଛାଡ଼ି ଚାଲିଯାଇଥିଲେ। ଅସୁସ୍ଥ ଅମୃତଙ୍କର କ’ଣ ହେବ ସେ ବିଷୟରେ କେବଳ ତାଙ୍କର ଜଣେ ମୁସଲମାନ ବନ୍ଧୁ ମହମ୍ମଦ ସାୟୁବଙ୍କ ବ୍ୟତୀତ ଆଉ କେହି ଚିନ୍ତା କରିନଥିଲେ।  ସେହି ରାସ୍ତାରେ ଅମୃତଙ୍କର ମୃତ୍ୟୁ ହୋଇଥିଲା। ସାୟୁବଙ୍କ କୋଳରେ ଅମୃତଙ୍କ ଚିତ୍ର ବହୁତ ଭାଇରାଲ ହୋଇଥିଲା। ଲୋକମାନଙ୍କୁ ଏହି ହିନ୍ଦୁ-ମୁସଲିମ ବନ୍ଧୁତ୍ୱର କାହାଣୀ ବେଶ୍ ପ୍ରଭାବିତ କରିଥିଲା।

ବର୍ତ୍ତମାନ କେମିତି ଅଛନ୍ତି?

ସାୟୁବ କେବଳ ଅମୃତଙ୍କ ମୃତଦେହକୁ ତାଙ୍କ ଘରକୁ ନେଇ ନଥିଲେ ସେ ତାଙ୍କର ଶେଷ କୃତ୍ୟରେ ମଧ୍ୟ ସାହାଯ୍ୟ କରିଥିଲେ। ଏକ ଫଣ୍ଡରାଇଜର ସଂସ୍ଥା ସହ ଯୋଗାଯୋଗ କରି ସାୟୁବ ଅମୃତଙ୍କ ପରିବାରକୁ ସାହାଯ୍ୟ କରିଥିଲେ। ଅମୃତଙ୍କ ପିତା ରାମ ଚରଣଙ୍କର ଚାରି ଝିଅ ଅଛନ୍ତି। ketto ଜରିଆରେ ତାଙ୍କୁ ପ୍ରାୟ ସାଢ଼େ ଛଅ ଲକ୍ଷ ଟଙ୍କାର ଦାନ ମିଳିଥିଲା ଯେଉଁଥିରେ ରାମ ଚରଣ ତାଙ୍କର ଏକ ଝିଅର ବିବାହ ଏବଂ ଡାକ୍ତରଖାନା ବିଲ୍ ପୈଠ କରିଥିଲେ। ସୟୁବ ଖୁସି ଯେ ତାଙ୍କ ଦ୍ୱାରା ଯାହା ସମ୍ଭବ ତାହା କରିପାରିଲେ।

ବିହାରର ରାମପୁକାର: ଲକଡାଉନ ବେଳେ ବିହାରର ରାମପୁକାର ପଣ୍ଡିତଙ୍କ ଫୋନରେ କଥା ହେଉଥିବା ଏକ ଫଟୋବହୁତ ଭାଇରାଲ ହୋଇଥିଲା। ଦିଲ୍ଲୀର ନିଜାମୁଦ୍ଦିନ ବ୍ରିଜରେ ବସିଥିବା ବେଳେ ରାମପୁକାର ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ କାନ୍ଦିପକାଇଥିଲେ। ତାଙ୍କର ଏକ ବର୍ଷର ପୁଅ ବହୁତ ଅସୁସ୍ଥ ଥିଲା ହେଲେ ସେ ଘରକୁ ଯାଇପାରୁନଥିଲେ। ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣାକୁ ବଖାଣୁଥିବା ତାଙ୍କର ଏହି ଫଟୋ ଲକ୍ଷ ଲକ୍ଷ ଲୋକଙ୍କୁ ଭାବପ୍ରବଣ କରଥିଲା। ଫଟୋ ଭାଇରାଲ ପରେ ଜଣେ ସାମାଜିକ କର୍ମୀଙ୍କ ଟ୍ରେନ୍ ଟିକେଟ୍ ବ୍ୟବସ୍ଥା କରିଥିଲେ ଏବଂ ରାମପୁକର କୌଣସି ପ୍ରକାରେ ଘରେ ପହଞ୍ଚିପାରିଥିଲେ। କିନ୍ତୁ ଦୁଃଖର ବିଷୟ ଯେ ଏହାପୂର୍ବରୁ ତାଙ୍କ ପୁଅ ଆରପାରିକୁ ଚାଲିଯାଇଥିଲେ।

ବର୍ତ୍ତମାନ କେମିତି ଅଛନ୍ତି: ଅନ୍ୟମାନଙ୍କ ଜୀବନରେ ତ ଅଳ୍ପ ବହୁତ ସୁଧାର ଆସିଛି କିନ୍ତୁ ରାମପୁକର ପଣ୍ଡିତଙ୍କ ଜୀବନ ଆଜି ବି ସମାନ ଅବସ୍ଥାରେ ରହିଛି। ସେ ନୂଆ କାମ ଆରମ୍ଭ କରିବା ପାଇଁ ୫ ହଜଦାର ଟଙ୍କା ଋଣ ନେଇଥିଲେ। ହେଲେ ଗାଁରେ କାମ ମିଳିବା କଷ୍ଟକର। ଫେରିବା ଦିନଠାରୁ ସେ ମାତ୍ର ୧୫ ଦିନ କାମ କରିଛନ୍ତି। ଟଙ୍କା ସବୁ ସରିଗଲାଣି ତେଣୁ ସେ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି।

ଆରଜେଡି ନେତା ତେଜସ୍ୱୀଙ୍କଠାରୁ ୧ ଲକ୍ଷ ଟଙ୍କା ମିଳିଥିଲା ଯେଉଁଥିରେ ସେ ଘରର ଛାତ ପକାଇଛନ୍ତି। ଗାଁଲେକମାନେ ମଧ୍ୟ ପୋଷାକ ଏବଂ କିଛି ଖର୍ଚ୍ଚ ଦେଇଥିଲେ। କିନ୍ତୁ ବର୍ତ୍ତମାନ ପାରିବାରିକ ଖର୍ଚ୍ଚ ଏବଂ ପିଲାମାନଙ୍କର ଶିକ୍ଷା ଅସୁବିଧାର ସମ୍ମୁଖୀନ ହେଉଛି। ରାମପୁକର କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ସାହାଯ୍ୟର ଆଶ୍ୱାସନା ଦେଇଥିଲେ କିନ୍ତୁ କିଛି ବି କରି ନାହାଁନ୍ତି।

 

 

Leave a Reply