ବ୍ୟର୍ଥ ଗଲା ମୟଙ୍କ ଅଗ୍ରୱାଲଙ୍କ ୮୯ ରନ, ସୁପର ଓଭରରେ ଦିଲ୍ଲୀ ଏମିତି ମାରିଲା ବାଜି

1 min read

ଦୁବାଇ: ଆଇପିଏଲ୍‌ ୧୩ର ଦ୍ୱିତୀୟ ମ୍ୟାଚ୍‌କୁ ସୁପର ଓଭରରେ ବାଜି ମାରିନେଇଛି ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ୍‌ସ ଏବଂ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିଲା । ଟସ୍‌ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ ପାଇଁ ଦିଲ୍ଲୀକୁ ଆମନ୍ତ୍ରଣ କରିଥିଲା । ଉଭୟ ଦଳ ନିର୍ଦ୍ଧାରିତ ଓଭରରେ ୧୫୭ କରିଥିଲେ । ମ୍ୟାଚ୍‌ ଟାଇ ରହିବା ପରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ପ୍ରଥମେ ପଞ୍ଜାବ ବ୍ୟାଟିଂ କରିଥିଲା । ପଞ୍ଜାବ ୨ ୱିକେଟ୍‌ ବିନିମୟରେ ମାତ୍ର ୨ ରନ୍‌ କରିପାରିଥିଲା । ମାତ୍ର ୩ ରନର ବିଜୟ ଲକ୍ଷ ଦିଲ୍ଲୀ ପାଇଁ ସହଜ ହୋଇଯାଇଥିଲା । ମାର୍କସ୍‌ ଷ୍ଟୋଇନିସ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନସ୍ ସର୍ବାଧିକ ୫୩ ରନ୍ କରିଥିଲାବେଳେ ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ୍ ୮୯ରନ୍ କରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ କରିଥିଲା । ପଞ୍ଜାବ ଟିମକୁ ଲକ୍ଷ ମିଳିଥିବା ୧୫୮ ରନ୍ । କିନ୍ତୁ ପଞ୍ଜାବ ଟିମ୍ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ୍ କରିପାରିଥିଲା ଏବଂ ସୁପର ଓଭରରେ କିଙ୍ଗସ୍ ଇଲେଭେନ ପଞ୍ଜାବ ମାତ୍ର ୨ ରନ କରିପାରିଥିଲା ।  ଏହା ପରେ ଦିଲ୍ଲୀ ଟିମ୍ ସୁପର ଓଭରରେ ୩ ରନ କରି ମ୍ୟାଚକୁ ହାତେଇ ଥିଲା । ମୟଙ୍କ ଅଗ୍ରୱାଲ ୬୦ ବଲରେ ୭ଟି ଚଉକା ଏବଂ ୪ଟି ଛକ୍କା ମାରିଥିଲେ । ଦିଲ୍ଲୀ ପାଇଁ କୈଗିସୋ ରବାଡା, ରବିଚନ୍ଦ୍ରନ ଅଶ୍ୱିନ ଏବଂ ମର୍କସ ଷ୍ଟୋଇନିସ ୨-୨ଟି ୱିକେଟ ନେଇଥିଲେ । ଅନ୍ୟପଟେ ମୋହିତ ଶର୍ମା ଏବଂ ଅକ୍ଷୟ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ପ୍ରଥମେ ଦିଲ୍ଲୀ କ୍ୟାପିଟାଲର ଅଲରାଉଣ୍ଡର ପ୍ଲେୟର ମାର୍କସ ଷ୍ଟୋଇନିସଙ୍କ ଜବରଦସ୍ତ ବ୍ୟାଟିଂରେ କିଙ୍ଗସ୍ ଇଲେଭେନ ପଞ୍ଜାବ ବିପକ୍ଷରେ ୮ ୱିକେଟରେ ୧୫୭ ସ୍କୋର କରିଥିଲା । ଦିଲ୍ଲୀ କ୍ୟାପିଟାଲ ଶେଷ ୩ ଓଭରରେ ୫୭ ରନ କରିବାରେ ସଫଳ ହୋଇଥିଲା । ଏଥିରେ ଷ୍ଟୋଇନିସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ୨୧ ବଲରେ କରିଥିଲେ ୫୩ ରନ୍, ଯେଉଁଥିରେ ସାମିଲ ଥିଲା ୭ଟି ଚଉକା ଏବଂ ୩ଟି ଛକ୍କା ।

ପାୱର ପ୍ଲେରେ ଦିଲ୍ଲୀ କ୍ୟାପିଟାଲ ୩ ୱିକେଟରେ ୨୩ ରନ କରିପାରିଥିଲା । ପନ୍ଥ ଏବଂ ଐୟର ୧୦ ଓଭର ଯାଏଁ ମାତ୍ର ୪୯ ରନ କରିପାରିଥିଲେ । ଏଥିରେ ଗୌତମ ଉପରେ ଐୟରଙ୍କର ଦର୍ଶନୀୟ ଛକ୍କା ମଧ୍ୟ ଶାମିଲ ରହିଛି । ପରବର୍ତ୍ତୀ ସମୟରେ ଏହି ବୋଲର ବିପକ୍ଷରେ ଲଗାତାର ଦୁଇଟି ଛକ୍କା ମାରି ରନର ଗତି ବଢ଼ାଇଥିଲେ । କିନ୍ତୁ ମାତ୍ର ୩ ବଲରେ ଏହି ଦୁଇଜଣ ବ୍ୟାଟସମ୍ୟାନଙ୍କ ଆଉଟ ହେଇଯିବା ଦିଲ୍ଲୀକୁ ପୁଣି ଥରେ ଗେମକୁ ଫେରାଇଦେଇଥିଲା ।

ବିଶନୋଇ ପନ୍ଥଙ୍କୁ ଗୁଗଲିରେ ବୋଲ୍ଡ କରିଥିଲେ । ଏହାପରେ ଶାମୀ ନିଜର ଶେଷ ଓଭରରେ ବୋଲିଂ କରିବା ପାଇଁ ଆସିଲେ ଏବଂ ଆସିବା ମାତ୍ରେ ଐୟରଙ୍କୁ ମିଡୱିକେଟରେ କ୍ୟାଚ ଦେବା ପାଇଁ ବାଧ୍ୟ କରିଦେଇଥିଲେ । ତେବେ ଦିଲ୍ଲୀର ସ୍କୋର ତିନି ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଁଞ୍ଚି ସାରିଥିଲା । କିନ୍ତୁ ତା ପରେ ଷ୍ଟୋଇନିସ ପୁରା ମ୍ୟାଚ ବଦଳାଇ ଦେଲେ ।

ଏହା ପୂର୍ବରୁ କ୍ୟାପଟେନ ଶ୍ରେୟସ ଐୟର (୩୨ ବଲରେ ୩୯, ୩ ଛକ୍କା) ଏବଂ ଋଷଭ ପନ୍ଥ (୨୯ ବଲରେ ୩୧, ୪ ଚଉକା) ୪ ୱିକେଟ ସହ ୭୩ ରନ କରିଥିଲେ । ଶାମୀ ୧୫ ରନ ଦେଇ ୪ ୱିକେଟ ହାସଲ କରିଥିଲେ । ଅନ୍ୟପଟେ ଆଇପିଏଲରେ ନୂଆ କରି ପାଦ ଦେଇଥିବା ଲେଗ ସ୍ପିନର ରବି ବିଶୋନୋଇ ମଧ୍ୟ ନିଜର ପ୍ରଭାବ ଛାଡ଼ିଛନ୍ତି ଏବଂ ୨୨ ରନ ଦେଇ ଗୋଟେ ୱିକେଟ ନେଇଛନ୍ତି ।

Leave a Reply