ରଥଯାତ୍ରା ବନ୍ଦ ସପକ୍ଷରେ ଖାରବେଳ ସ୍ୱାଇଁ,କହିଲେ ରଥଯାତ୍ରା ହେଲେ ଭାରତର ଛବି ଖରାପ ହେବ

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରାଜ୍ୟରେ ନିରାଶର ବାତାବରଣ ଖେଳିଯାଇଛି । ଏହାକୁ ନେଇ ସାଧାରଣ ନାଗରିକଙ୍କ ମଧ୍ୟରେ ଭିନ୍ନ ପ୍ରକାରର ମତ ରହିଛି । କିଛି କରୋନା ମହାମାରୀ କାଳରେ ରଥଯାତ୍ରା ଆୟୋଜନ ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶକୁ ସମର୍ଥନ କରୁଛନ୍ତି ତ’ କିଛି ନିୟନ୍ତ୍ରିତ ଭାବେ ରଥଯାତ୍ରା ଆୟୋଜନ କରିଥିଲେ କିଛି ଅସୁବିଧା ନଥିଲା ବୋଲି ମତ ରଖୁଛନ୍ତି । ରଥଯାତ୍ରାକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଭିନ୍ନମତ ପ୍ରକାଶ ପାଉଛି । ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି ।

ଏହାରି ଭିତରେ ବିଜେପିର ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ କାଳରେ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ଠିକ୍ । ଯଦି ମକ୍କା ମଦିନା ବନ୍ଦ ରହୁଛି,ଆଇପିଏଲ ଓ ଅଲମ୍ପିକ୍ସ ବନ୍ଦ ହେଉଛି ତେବେ ରଥଯାତ୍ରା କାହିଁକି ବନ୍ଦ ହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବୃହତ୍ତର ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଠିକ୍ ବୋଲି ସେ ଯୁକ୍ତି ବାଢିଛନ୍ତି ।

ସେ କହିଛନ୍ତି ଯେ,  ରଥଯାତ୍ରା ହେବା ଉଚିତ ନୁହେଁ । ସୁପ୍ରିମକୋର୍ଟ ଯାହା କହିଛନ୍ତି ସେଥିରେ ସରକାର କାଏମ ରୁହନ୍ତୁ । କିଛି ଲୋକ ନିଜ ସ୍ୱାର୍ଥ ପାଇଁ ରଥଯାତ୍ରା କରିବା ପାଇଁ କହୁଛନ୍ତି । ଗଜପତି ମଧ୍ୟ ଚାପର ବଶବର୍ତ୍ତି ହୋଇ କହୁଛନ୍ତି । ଯ଼ଦି ରଥଯାତ୍ରା ହୁଏ ତେବେ ବିଶ୍ୱସ୍ତରରେ ଭାରତର ଛବି ତଳକୁ ଯିବ । ଭାରତର ବହୁତ କ୍ଷତି ହେବ । କେହି ରିସ୍କ ନେବା ପାଇଁ ଚାହାଁନ୍ତି ନାହିଁ, ଯେ ରଥଯାତ୍ରା ହେଉ ବୋଲି । ସେଥିପାଇଁ ରଥଯାତ୍ରା ବନ୍ଦ ହେଲା ଆଉ ସମସ୍ତେ ଚୁପ ରହିଲେ

ଏହା ସହ ସେ ରଥଯାତ୍ରା ସପକ୍ଷରେ ବାହାରିଥିବା ଗୋଷ୍ଠୀକୁ ମଧ୍ୟ ନିଶାନାକୁ ନେଇଛନ୍ତି । ଯେଉଁମାନେ ରଥଯାତ୍ରା କରିବାକୁ ଚାହୁଁଥିଲେ ସେମାନେ କ’ଣପାଇଁ ସୁପ୍ରିମକୋର୍ଟରରେ ଯୁକ୍ତି ଉପସ୍ଥାପନ କଲେ ନାହିଁ ବୋଲି ସେ ପଚାରିଛନ୍ତି ।

Leave a Reply