ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ କିନ୍ତୁ ନା ଅଛି ଭକ୍ତଙ୍କ ଗହଳି ନା ଶୁଭୁଛି ହବିଷ୍ୟାଳୀଙ୍କ ହୁଳହୁଳି

ପୁରୀ: ଦଶହରା ପରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଏଥର କୋଭିଡ କଟକଣା ପାଇଁ ପୁରୀରେ ଜମିନି ହବିଷ୍ୟାଳୀଙ୍କ ଭିଡ । ପୁରୀ ନଆସି ହବିଷ୍ୟାଳି ଘରେ ରହି ବ୍ରତ ପାଳନ ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ବ୍ରତ ପାଳନ ବେଳେ ଜନଗହଳି ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି  ।

ଖାସକରି ବୟସାଧିକ ବୃଦ୍ଧା ଏହି ବ୍ରତ ପାଳନ କରୁଥିବା ହେତୁ ସେମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଘରେ ରହି ବ୍ରତ ପାଳିବାକୁ ପ୍ରଶାସନ ପରାମର୍ଶ ଦେଇଛି । ଧର୍ମମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଦର୍ଶନ ସହ ପୁଣ୍ୟ କମାଇବାକୁ ପୁରୀ ଆସିଥାନ୍ତି ବ୍ରତଧାରୀ ।  ପ୍ରତିଦିନ ବ୍ରତ, ମହାପ୍ରସାଦ ସେବନ ସହ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଦର୍ଶନ କରିଥାନ୍ତି । ମହାମାରୀ ଯୋଗୁଁ ଚଳିତବର୍ଷ ହବିଷ୍ୟାଳିଙ୍କ ସଂଖ୍ୟା ସେତେଟା ନାହିଁ । ମାତ୍ର  କଟକଣା ମଧ୍ୟରେ କିଛି ଶ୍ରଦ୍ଧାଳୁ ପୁରୀ ପହଞ୍ଚିଥିବା ଦେଖିବାକୁ ମିଳିଛି ।

ସେହିପରି ଚଳିତ ବର୍ଷ ହେବାକୁ ଥିବା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖି ପାରିବେନି ଭକ୍ତ । ଚଳିତ ବର୍ଷ ପଞ୍ଚୁକ ସମୟରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ । ନାଗାର୍ଜୁନ ବେଶ ମନ୍ଦିର ଭିତରେ ରୀତିନୀତି ଅନୁସାରେ ପାଳନ ହେବ କିନ୍ତୁ ଭକ୍ତଙ୍କୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ । କରୋନା ବ୍ୟାପିବାରୁ ରୋକିବାକୁ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଛି ।

Leave a Reply