ପୁଣି ହାତୀ ଆତଙ୍କ, ଗାଁ ଭିତରେ ୨୨ ଟିକିଆ ହାତୀ ପଲ

ମୟୂରଭଞ୍ଜ/ କେନ୍ଦୁଝର: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ଦେଢ଼ ମାସ ବ୍ୟବଧାନ ପରେ ଶୁକ୍ରବାର ସୀମାନ୍ତ ଜିଲ୍ଲା କେନ୍ଦୁଝରରୁ ବୈତରଣୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ୨୨ ଟିକିଆ ହାତୀ ପଲ । ସେମାନଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ବାସିନ୍ଦା ଓ ବନବିଭାଗ ପକ୍ଷରୁ ପ୍ରୟାସ କରାଯାଇଥିଲେ ସୁଦ୍ଧା ସେଥିରେ ସେମାନେ ବିଫଳ ହୋଇଥିଲେ । ରାତିରେ ଘନ କୁହୁଡି ଯୋଗୁଁ ହାତୀ ପଲଙ୍କୁ ଘଉଡାଇବାରେ ସମସ୍ୟା ହୋଇଥିଲା ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ସଂଖ୍ୟା କମିବାରେ ନାଁ ନେଉନାହିଁ । କେବେ ଶିକାରୀ ଆକ୍ରମଣରେ ତ କେତେବେଳେ ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ହେଉଛି । ତେବେ ପୁଣି ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବିଜେପି ରେଞ୍ଜ ଯାତ୍ରା ପଞ୍ଚାୟତର ନାଡାପାଣି ଗ୍ରାମ ନିକଟସ୍ଥ ବିଲରେ ଏହି ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ଅଞ୍ଚଳରେ ୯ ଟିକିଆ ହାତୀ ପଲ ଥିବା ବେଳେ ଆଜି ସକାଳୁ ଏହି ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ହାତୀ ଛୁଆଟିର ବୟସ ଦୁଇ ବର୍ଷ ହେବ ବୋଲି ଜଣାପଡ଼ିଛି । ଖବରପାଇ ସ୍ଥାନୀୟ ବନଖଣ୍ଡ ଅଧିକାରୀ ଓ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ହାତୀ ଛୁଆଟିର ମୃତ୍ୟୁ ହୋଇଛି ତାହା ବ୍ୟବଛେଦ ପରେ ଜଣାପଡିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି ।

Leave a Reply