କଙ୍ଗାରୁ କୋର୍ଟ: ନିର୍ଧୁମ୍‌ ପିଟିଲେ, ଲଣ୍ଡା କଲେ ! ଗାଁ ଦାଣ୍ଡରେ ବୁଲାଇଲେ

1 min read

ଅନୁଗୁଳ: ଏବେ ବି ଚାଲିଛି କଙ୍ଗାରୁ କୋର୍ଟ । ରାଜ୍ୟ ସରକାର ତଥା ପ୍ରଶାସନ ପକ୍ଷରୁ ଅନେକ ଚେଷ୍ଟା ସତ୍ତ୍ୱେ ଏବେ ବି ଅନେକ ଗାଁରେ ବସିଥାଏ କଙ୍ଗାରୁ କୋର୍ଟ । ଆଉ କଙ୍ଗାରୁ କୋର୍ଟରେ ଯାହା ଫୈସଲା ହୁଏ ତାହା ହିଁ ପାଳନ କରାଯାଇଥାଏ । ଏମିତିକି କଙ୍ଗାରୁକୋର୍ଟର ନିଷ୍ପତ୍ତି ଯୋଗୁଁ ଅନେକ ଥର ଲୋକଙ୍କୁ ଗାଁରୁ ବଚ୍ଛନ୍ଦ ହୋଇଥିବା ଦେଖାଯାଇଛି । କାହାକୁ ପାଣି ମନା କରାଯାଇଥାଏ ତ କାହାକୁ ଗାଁରୁ ବିଦା କରାଯାଇଥାଏ । କଙ୍ଗାରୁକୋର୍ଟକୁ ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ଏବେ ବି ଅନେକ ଗାଁ ରହିଛି ଯେଉଁଠି ଗାଁର ସବୁ ନ୍ୟାୟ ନିସାପ କଙ୍ଗାରୁ କୋର୍ଟରେ ହିଁ ହୋଇଥାଏ । ପ୍ରଶାସନ ପକ୍ଷରୁ ଏଭଳି କଙ୍ଗାରୁ କୋର୍ଟ ଉପରେ ଅନେକ ଥର ଚଢ଼ାଉ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଏବେ ବି ସଚେତନତା ଅଭାବ ରହିଛି । ଗାଁରେ ଯଦି କିଛି ଚୋରି ଡକାୟତି ଘଟଣା ଘଟେ ତେବେ ଲୋକେ ପୋଲିସ ଷ୍ଟେସନ୍ ଯିବା ପରିବର୍ତ୍ତେ କଙ୍ଗାରୁ କୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି । ଆଉ ସେଠାରେ ଯାହା ଫୈସଲା ହୁଏ ତାହା ହିଁ ପାଳନ କରାଯାଏ ।

ସେହିଭଳି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲାରୁ । ଏକ କଙ୍ଗାରୁ କୋର୍ଟର ଫୈସଲାକୁ ନେଇ ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି । ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅମନ୍ତପୁର ବସଲାସାହିରେ କଙ୍ଗାରୁ କୋର୍ଟର ଫୈସଲା ଏବେ ସମସ୍ତଙ୍କୁ ଚକିତ କରିଛି । ଗାଁରେ ପାଇପ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ତାକୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିବା ଦେଖାଯାଇଛି ।

https://www.facebook.com/NandighoshaTV/videos/368328317894332/

ଖାଲି ସେତିକି ନୁହେଁ ଚୋରି ଅଭିଯୋଗରେ ଯୁବକଙ୍କୁ ନିର୍ଧୁମ୍‌ ମାଡ଼ ମରାଯିବା ସହ ତାଙ୍କୁ ନାନା ନିର୍ଯାତନା ମଧ୍ୟ ଦିଆଯାଇଛି । ଗାଁର କିଛି ଯୁବକ ଏଭଳି କାଣ୍ଡ ଭିଆଇଛନ୍ତି ।  ଖବରପାଇ ନାଲକୋ ଥାନା ପୋଲିସ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ସେପଟେ ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିବା ସହ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି । ତେବେ ପୀଡ଼ିତ ଯୁବକ ଜଣକ ଜଣେ ଟ୍ରକ ହେଲପର ଭାବେ କାମ କରୁଥିବା ଜଣାପଡିଛି ।

Leave a Reply