ଜୋ ବାଇଡେନଙ୍କ ସହ ରହିବେ ‘ଚାମ୍ପ’ ଆଉ ‘ମେଜର’, ଭାଇରାଲ ହେଉଛି ଫଟୋ

ୱାସିଂଟନ: ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର ରାଷ୍ଟ୍ର ଆମେରିକା, ତାର ପରବର୍ତ୍ତୀ ରାଷ୍ଟ୍ରପତି ପାଇସାରିଛି । ନିର୍ବାଚନ ଲଢେଇରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ବିଡେନ ରାଷ୍ଟ୍ରପତି ଗାଦିରେ ବସିଛନ୍ତି ।  ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ ହାଉସରେ ବର୍ତ୍ତମାନ ଟ୍ରମ୍ପଙ୍କ ବଦଳରେ ଜୋ ବିଡେନ ରହିବାକୁ ଯାଉଛନ୍ତି । ଏହି ସମୟରେ, ଜଣାପଡ଼ିଛି ଯେ ଯେତେବେଳେ ବାଇଡେନ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ସହ ହ୍ୱାଇଟ ହାଉସକୁ ଆସିବେ, ସେତେବେଳେ ତାଙ୍କ ସହ ଦୁଇଟି ଜର୍ମାନ ଶେଫର କୁକୁର ମଧ୍ୟ ଆସିବେ ।

ତେବେ ଏହି କୁକୁରମାନଙ୍କର ନାଁ ହେଉଛି ‘ଚାମ୍ପ’ ଏବଂ ‘ମେଜର’ । ଚାମ୍ପକୁ ୨୦୦୮ ରେ ଏବଂ ମେଜରକୁ ୨୦୧୮ ରେ ବାଇଡେନଙ୍କ ପରିବାର ଏକ ପଶୁ ସେଲ୍ଟରରୁ ଆଣିଥିଲେ । ୨୦୦୮ରେ ଯେତେବେଳେ ବାଇଡେନ ଉପରାଷ୍ଟ୍ରପତି ହୋଇଥିଲେ, ସେତେବେଳେ ସେ ତାଙ୍କ ପତ୍ନୀ ଜିଲଙ୍କୁ ନିର୍ବାଚନ ଜିତିବା ପରେ ‘ଚାମ୍ପ’କୁ ଉପହାର ସ୍ୱରୂପ ଦେଇଥିଲେ । ଏହି ଦୁଇଜଣଙ୍କ ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର ଧରିଛି ।

ଗତ ଚାରି ବର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ ହାଉସରେ କୌଣସି ଗୃହପାଳିତ ପଶୁ ନଥିଲେ । କାରଣ ଟ୍ରମ୍ପ ନିଜେ କହିଥିଲେ ଯେ ସେ ଗୃହପାଳିତ କୁକୁରକୁ ପସନ୍ଦ କରନ୍ତି ନାହିଁ ।

ସୂଚନା ଅନୁଯାୟୀ, ଆମେରିକାର ପ୍ରାୟ ୩୦ ଜଣ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମୟରେ ଅନେକ ଗୃହପାଳିତ କୁକୁର ସେମାନଙ୍କ ସହ ହ୍ୱାଇଟ ହାଉସରେ ରହିଛନ୍ତି । ଏହା ପ୍ରଥମେ ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ ଠାରୁ ଆରମ୍ଭ ହୋଇଥିଲା, କିନ୍ତୁ ଗତ ଚାରି ବର୍ଷ ଧରି ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କୌଣସି କୁକୁର ରହି ନଥିଲେ ।

ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଜୋ ବିଡେନ କହିଛନ୍ତି ଯେ ହ୍ୱାଇଟ ହାଉସ ପରିଶରରେ କୁକୁର ସହିତ ଚାଲିବାବେଳେ ସେ କିପରି ଦେଖାଯିବେ ? ଏହି ସମୟ ମଧ୍ୟରେ ସେ କହିଥିଲେ ଯେ ତାଙ୍କୁ ହ୍ୱାଇଟ ହାଉସରେ ବିନା କୁକୁରେ ରହିବା ଜମା ବି ପସନ୍ଦ ନୁହେଁ । ନିର୍ବାଚନ ରାଲିରେ ମଧ୍ୟ ବାଇଡେନଙ୍କ ସହ ତାଙ୍କ କୁକୁରକୁ ଦେଖିବାକୁ ମିଳିଥିଲା ।

ସୂଚନା ଯୋଗ୍ୟ ଯେ, ଆମେରିକାରେ ରାଷ୍ଟ୍ରପତି ହେବା ପାଇଁ ମୋଟ ୨୭୦ଟି ସିଟର ଆବଶ୍ୟକତା ରହିଛି । ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ ଜୋ ବିଡେନ ପ୍ରାୟ ୨୯୦ ସିଟ୍ ପାଇଛନ୍ତି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କର ୨୧୪ ସିଟ୍ ମିଳିଛି ।  ଏହି କାରଣରୁ ଜୋ ବିଡେନ ଏବଂ କମଲା ହାରିସଙ୍କୁ ବିଜେତା ଘୋଷିତ କରାଯାଇଛି ।

Leave a Reply