ଝରାଫୁଲ ଡେଥ୍ ମିଷ୍ଟ୍ରି; ରାତ୍ରିଯାପନ କରିଥିବା ରୁମରୁ କ’ଣ ପାଇଲା ସାଇଣ୍ଟଫିକ ଟିମ ?

1 min read

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ଡେଥ୍ ମିଷ୍ଟ୍ରି । ସମୟ ସହ ଘନିଭୂତ ହେଉଛି ସନ୍ଦେହ । ପ୍ରେମିକବନ୍ଧୁକୁ ପୋଲିସ ବାନ୍ଧିବା ପରେ ସତ ଉନ୍ମୋଚନ ନେଇ ବଢୁଛି ଉତ୍ସୁକତା । ମୃତ୍ୟୁ ପୂର୍ବଦିନ କେଉଁଠି ଥିଲେ ଝରାଫୁଲ ? ଯଦି ପୁରୁଷବନ୍ଧୁଙ୍କ ସହ ଥିଲେ ତେବେ କେଉଁଠି ଆଉ କେଉଁ ଗେଷ୍ଟହାଉସରେ ? କେତେ ନମ୍ବର ରୁମରେ ରାତ୍ରିଯାପନ କରିଥିଲେ ? ଏମିତି ଅନେକ କିଛି ଘଟଣାକୁ ନେଇ ତଦନ୍ତ ପ୍ରଖର କରିଛି ପୋଲିସ ।

ସେପଟେ ମୃତ୍ୟୁ ପୂର୍ବଦିନ ଝରାଫୁଲ ଖଣ୍ଡଗିରି ଗେଷ୍ଟ ହାଉସର ରହିଥିବା ଜାଣିବା ପରେ ଛାନଭିନ ଆରମ୍ଭ କରିଛି ପୋଲିସ । ରୁମ୍ ନମ୍ବର ୨୦୧କୁ ସିଲ୍ କରିଛି କମିଶନରେଟ୍ ପୋଲିସ । ଫେରନ୍ସିକ୍ ଟିମ ପ୍ରାୟ ୨ ଘଣ୍ଟା ଧରି ଗେଷ୍ଟ ହାଉସର ଉକ୍ତ ରୁମରେ ଛାନଭିନ୍ କରିଛି । ଫିଙ୍ଗର ପ୍ରିଣ୍ଟ ଓ ନମୁନା ସଂଗ୍ରହ କରିଛି । ବ୍ୟବହୃତ ବେଡସିଟକୁ ମଧ୍ୟ ଜବତ କରିଛି । ଏହି ତଦନ୍ତ ସମୟରେ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି କିଛି ଗୁରୁତ୍ୱ ପୂର୍ଣ୍ଣ ସୂଚନା । ଯାହା ତଦନ୍ତରେ ସହାୟକ ହେବ ବୋଲି କହିଛି ଟିମ୍ । ସେପଟେ ଘଟଣାର ସିଦ୍ଧାନ୍ତରେ ପହଁଚିବା ପାଇଁ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଯାଜପୁର SDPO ।

ସେପଟେ ଦ୍ୱିତୀୟ ସିସିଟିଭି ଫୁଟେଜରେ ମିଳିଛି ଅନେକ କିଛି ସୂଚନା । ୨୬ ତାରିଖ ଦିନ ଭୁବନେଶ୍ୱରର ଏକ ପାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ତାଙ୍କ ପୁରୁଷବନ୍ଧୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବିରିଆନୀ ଖାଇବା ପରେ ଝରାଫୁଲ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ପେଟ କାଟୁଥିବାରୁ ଝରାଫୁଲ କାନ୍ଦୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଗୋଟିଏ ଦୃଶ୍ୟରେ ଝରାଫୁଲ ସ୍କୁଟିରେ ଏକାକୀ ହେଲମେଟ୍ ପିନ୍ଧି ବସିଥିବା ବେଳେ, ହୋଟେଲ ଭିତରେ ରାକେଶ ଓ ସେ ଖାଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ରାକେଶ ଓ ଝରାଫୁଲ ବୁଲାବୁଲି କରି ଦିନ ୧.୦୫ରେ ସ୍କୁଟିରେ ପଳାଇଥିଲେ ।

ସିସିଟିଭି ଫୁଟେଜ ମିଳିବା ପରେ ହୋଟେଲରେ ଯାଜପୁର ପୋଲିସ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ଝରାଫୁଲଙ୍କ ପାଟିରୁ ଫେଣ ବାହାରିଥିବା ରାକେଶ ପୋଲିସକୁ ଜଣାଇଥିଲେ । ତେବେ ବିଷକ୍ରିୟା ହୋଇଥିଲା ନା ଆଉ କିଛି, ତାହା ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପାଡ଼ିବ । କିନ୍ତୁ ପ୍ରେମିକବନ୍ଧୁଙ୍କ ଉପରେ ଦୋଷ ଲଦିଛନ୍ତି ଝରାଫୁଲଙ୍କ ପରିବାର ଲୋକେ  । ରାକେଶ ସ୍ୱାଇଁ ହିଁ ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ମୃତ ଝରାଫୁଲଙ୍କ ବାପା  ।

Leave a Reply