ଡ୍ରଗ୍ସ ମାଫିଆଙ୍କ ସହ ଅଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଜଳେଶ୍ୱର ଆଇଆଇସି

ଜଳେଶ୍ୱର: ପଦାରେ ପଡ଼ିଲା ପୋଲିସ ବାବୁଙ୍କ ଗୁମର କଥା । ଡ୍ରଗ୍ସ ମାଫିଆଙ୍କ ସହ ମୂଲଚାଲ କରୁ କରୁ ଚାଲିଗଲା ପୋଲିସ ବାବୁଙ୍କ ଚାକିରି । ଗତକାଲି ହୋଇଥିବା ଡ୍ରଗ୍ସ ମାଫିଆ ଓ ପୋଲିସ ବାବୁ ମଧ୍ୟରେ କଥାବର୍ତ୍ତା ଭାଇରାଲ ହୋଇଥିଲା । ଯାହାର ଫଳାଫଳ ସ୍ୱରୂପ ଆଜି ନିଲମ୍ବିତ ହୋଇଛନ୍ତି ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ । ଡିଜିପି ଅଫିସ୍ ପକ୍ଷରୁ ଟ୍ୱିଟ ଯୋଗେ ଏନେଇ ସୂଚନା ଦିଆଯାଇଛି ।

ଆପଣଙ୍କୁ କହି ରଖୁଛୁ ଯେ, ଗତକାଲି ଭାଇରାଲ ଅଡ଼ିଓରେ ବ୍ରାଉନସୁଗାର କାରବାର ପାଇଁ ସେ ୫ ଲକ୍ଷ ଟଙ୍କାର ଡିଲ କରୁଥିବା ସ୍ପଷ୍ଟ ହୋଇଛି । ସେହିଭଳି ଅଡିଓ କ୍ଲିପକୁ ଭଲ ଭାବେ ଶୁଣିଲେ ଏକଥା ମଧ୍ୟ ସ୍ପଷ୍ଟ ହେଉଥିଲା ଯେ, ବ୍ରାଉନସୁଗାର ପାଇଁ ପୋଲିସ ଅଧିକାରୀ ପ୍ରଥମ ଥର ଟଙ୍କା ନେଉ ନାହାନ୍ତି । ପୋଲିସ ଅଧିକାରୀ ଓ ବ୍ରାଉନସୁଗାର ମାଫିଆଙ୍କ ମଧ୍ୟରେ ସମ୍ପର୍କ ନୂଆ ନୁହେଁ । ଉଭୟ ପରସ୍ପରକୁ ବ୍ୟକ୍ତିଗତ ଭାବେ ଜାଣିବା ସହ ପୂର୍ବରୁ ମଧ୍ୟ ଏଭଳି ବେପାର କରି ସାରିଛନ୍ତି । ତେବେ ସବୁ ସମୟରେ ପୋଲିସ ବାବୁଙ୍କ ପାଖରେ ଠିକ୍ ସମଯରେ ଟଙ୍କା ପହଞ୍ଚେ । ମାତ୍ର ଏଥର ପହଞ୍ଚିନି । ଏଇ କଥାକୁ ନେଇ ରାଗି ପଞ୍ଚମ ହୋଇଛନ୍ତି ପୋଲିସ ଅଧିକାରୀ । ଯାହାର ପ୍ରତିବାଦ କରୁଛନ୍ତି ଡ୍ରଗ୍ସ ମାଫିଆ । ସେ ବେଲରେ ଥିବା ବେଳେ ତାଙ୍କ ଗାଡ଼ି ସିଜ୍ କରିଥିଲା ପୋଲିସ ଯାହାକୁ ନେବାକୁ ମୂଲଚାଲ ଚାଲିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାକୁ କଦଳୀ ଗାଡ଼ିରେ ଆସୁଛି ବ୍ରାଉନ ସୁଗାର । ଏଥିପାଇଁ ଡ୍ରଗ୍ସ ମାଫିଆଙ୍କଠାରୁ ଟଙ୍କା ନିଆ ଯାଉଛି  । ଯେଉଁଥିପାଇଁ ଫୋନରେ ଦୁଇଜଣଙ୍କ ଭିତରେ ଆଲୋଚନା ଚାଲିଥିଲା । ତେବେ ଏହି ଅଡିଓ କ୍ଲିପ ଉପରେ ଉକ୍ତ ପୋଲିସ ଅଧିକାରୀଙ୍କର ପ୍ରତିକ୍ରିୟା ଆଣିବା ସମ୍ଭବପର ହୋଇନାହିଁ । ବାରମ୍ୱାର ସମ୍ପର୍କ କରିବାକୁ ଚେଷ୍ଟା କରି ମଧ୍ୟ ନନ୍ଦିଘୋଷ ଟିମ୍ ପ୍ରତିକ୍ରିୟା ପାଇବାରେ ବିଫଳ ହୋଇଥିଲା ।

Leave a Reply