ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ, ମାଆ ମାନଙ୍କ ହାତରେ ପାଇପ୍ ଜଳଯୋଗାଣ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ଏଣିକି ବଡ଼ି, ପାମ୍ପଡ଼ ଓ ଘର କରଣା ସାମଗ୍ରୀ ପ୍ରସ୍ତୁତି ସହିତ ସହରାଞ୍ଚଳର ବିକାଶ ମୂଳକ କାର୍ଯ୍ୟକ୍ରମରେ ମହିଳାଙ୍କର ରହିବା ବଡ଼ ଭାଗିଦାରୀ । ସହରୀ ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ପାଇପ୍ ଯୋଗେ ପାଣିଯୋଗାଇ ଦେବାକୁ ନିଷ୍ପତ୍ତି ନେବାପରେ ଆଜିଠାରୁ ଆରମ୍ଭ ହୋଇଛି ଜଳସାଥୀ କାର୍ଯ୍ୟକ୍ରମ । ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି ଏସଏଚଜି ମହିଳା ମାନଙ୍କୁ । ମହିଳାମାନଙ୍କର ଅର୍ଥନୀତିକ ଶସକ୍ତିକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭ କରି, ଛତୁଆ ଯୋଗାଣ, ବିଦ୍ୟୁତ ମିଟର ରିଡିଂ ଭଳି ଅନେକ ଦାୟିତ୍ୱ ଦେଇଛନ୍ତି । ଯାହାକୁ ସଫଳତାର ସହ ନିର୍ବାହ କରୁଛନ୍ତି ମହିଳାମାନେ । ତେଣୁ ଜଳସାଥୀ ଭାବରେ ମା’ମାନେ ଲୋକଙ୍କ ବିଶ୍ୱାସ ଓ ଭରଷା ହାସଲ କରିବା ସହିତ ସରକାର ଓ ଜନ ସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ରେଳବାଇ ଅଡିଟୋରିୟମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜଳର ମାନ ପରୀକ୍ଷା କିଟ୍ ଓ ପିଓଏସ୍ ମେସିନ୍ ବଣ୍ଟନ କରାଯାଇଥିଲା । ଜଳସାଥୀ ମାନେ ଘରକୁ ଘର ବୁଲି ଲୋକଙ୍କୁ ନୂଆ ଜଳ ସଂଯୋଗ ଦେବେ । ମାସକୁ ମାସ ଜଳଯୋଗାଣ ଦେୟ ଆଦାୟ କରିବେ । ଏବଂ ନିଜ ଅଞ୍ଚଳରେ ନିୟମିତ ଭାବେ ଜଳର ମାନ ପରୀକ୍ଷା କରିବା ସହିତ ଲୋକଙ୍କ ଅଭାବ ଅଭିଯୋଗକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଭୁବନେଶ୍ୱରର ୮ଟି ଓ୍ୱାର୍ଡରେ ଆରମ୍ଭ କରାଯାଇଛି ।

ଏଥିପାଇଁ ଓ୍ୱାଟକୋ ଓ ମହିଳା ସ୍ୱୟଂ ସହାୟକ ମହାସଂଘ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ତଥା ରାଜ୍ୟର ସମସ୍ତ ସହରାଞ୍ଚଳରେ ସଂପୂର୍ଣ୍ଣ ଭାବେ ଏହା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୧୨ ଲକ୍ଷରୁ ଅଧିକ ପରିବାରକୁ ଦୈନିକ ୯ ଶହ ନିୟୁତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିବ । ପ୍ରାୟ ୭୦ ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେବେ । ସାରା ରାଜ୍ୟରେ ୫ ହଜାର ଜଳସାଥୀ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବେ । ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥି ଭାତନାନ୍ ଓ ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply