କୋଭିଡ୍‌ କଟକଣା ଭିତରେ ମା’ ବିରଜାଙ୍କ ବିଜୟା ରଥଯାତ୍ରା

Maa-Biraja-Temple-Jajpur-Odisha

ଯାଜପୁର: ଆଜି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ବିଜୟା ରଥଯାତ୍ରା । ଏନେଇ ଚଳଚଞ୍ଚଳ ଯାଜପୁର ବିରଜା କ୍ଷେତ୍ର । ରଥଯାତ୍ରା ପାଇଁ ସେବାୟତଙ୍କ ସଂଖ୍ୟା ୬୦ ରେ ସୀମିତ ରଖିବା ସହ ରଥ ଚାଳନା ପାଇଁ ୧୮, ରଥ ଟାଣିବା ପାଇଁ ୬୦, ଲାଖବିନ୍ଧା କାର୍ଯ୍ୟ ସମ୍ପନ୍ନ ପାଇଁ ୯୯ ଜଣଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏଥିସହ ମା’ଙ୍କ ମହାସ୍ନାନ ପାଇଁ ୨୦ ଜଣ ବୈତରଣୀ ବ୍ରାହ୍ମଣଙ୍କୁ ନିୟୋଜିତ କରାଯାଇଛି । ମନ୍ଦିର ଚତୃପାର୍ଶ୍ୱରେ ଏହି ୯ ଦିନ ରଥଯାତ୍ରା ମଧ୍ୟରେ ୧୪୪ ଧାରା ବଳବତ୍ତର ରହିବ ।

  Maa-Biraja-Temple-Jajpur-Odisha

ଏପଟେ ରଥଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯାଇଛି । ରଥଯାତ୍ରାରେ ସାମିଲ ହେବାକୁ ଥିବା ସବୁ ସେବାୟତ ଓ ପୋଲିସଙ୍କ ୩ଟି ପର୍ଯ୍ୟାୟରେ କୋଭିଡ୍‌ ଟେଷ୍ଟ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସେବାୟତ ମାନଙ୍କ କୋଭିଡ୍‌ ଟେଷ୍ଟ ହୋଇଛି । ବିରଜା କଲ୍ୟାଣ ମଣ୍ଡପ ଠାରେ ପାଖାପାଖି ୨୫୦ ସେବାୟତଙ୍କ ଟେଷ୍ଟ ହୋଇଛି । ସାମାଜିକ ଦୂରତା ରକ୍ଷା କରି ଏହି ଟେଷ୍ଟ କରାଯାଇଛି ।

Maa-Biraja-Temple-Jajpur-Odisha

ମା’ ବିରଜାଙ୍କ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗ ନେଇ ହାଇକୋର୍ଟରେ ପିଟିସନ ଫାଇଲ୍ ହୋଇଥିଲା । ଏସମ୍ପର୍ତିକ ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ରିପୋର୍ଟ ତଲବ କରିଥିଲେ ହାଇକୋର୍ଟ ।

ଶାରଦୀୟ ଦୁର୍ଗା ପୂଜା ଅବସରରେ ମା’ ବିରଜାଙ୍କ ମନ୍ଦିରରେ ନବ ଦିନାତ୍ମକ ରଥଯାତ୍ରା କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି । ୯ ଦିନ ବ୍ୟାପୀ ମାଆ ବିରଜାଙ୍କ ଚଳନ୍ତି ପ୍ରତିମା ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି । ଚଳିତ ବର୍ଷ କରୋନା କଟକଣା ଭିତରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

Maa-Biraja-Temple-Jajpur-Odisha

ଆବେଦନକାରୀ ଦର୍ଶାଇଥିଲେ ଯେ, ରଥଯାତ୍ରା ବନ୍ଦ ହୋଇଗଲେ ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିଯିବ । ଅନ୍ୟ କୌଣସି ଶକ୍ତି ପୀଠରେ ରଥଯାତ୍ରା ହେଉ ନଥିବା ବେଳେ କେବଳ ବିରଜାକ୍ଷେତ୍ରରେ ମା’ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀରେ ରଥଯାତ୍ରା ଭଳି କୋଭିଡ୍ କଟକଣା ଭିତରେ ପରମ୍ପରା ବଞ୍ଚାଇ ରଖିବା ପାଇଁ ସେମିତି ମା’ ବିରଜାଙ୍କ ରଥଯାତ୍ରା ପାଇଁ ମଧ୍ୟ ଅନୁମତି ଦେବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ଆବେଦନକାରୀ ।

Leave a Reply