ନନ୍ଦିଘୋଷ ଟିଭିର ମହାପ୍ରଭାବ; ଜଗତସିଂହପୁର ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଜଗତସିଂହପୁର: ମଲା ପରେ ବି ଲୁଟୁଛନ୍ତି । ମୃତ ବ୍ୟକ୍ତିଙ୍କ ନାଁରେ ଉଠାଯାଉଛି ଭତ୍ତା ଟଙ୍କା । ଜଗତସିଂହପୁର ଖଇରଙ୍ଗ ପଞ୍ଚାୟତରେ ମୃତ୍ୟୁର ମାସ ମାସ ପରେ ବି ଉଠୁଛି ଭତ୍ତା ଟଙ୍କା । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ଆକ୍ସନ ମୁଡକୁ ଆସିଛି । ପ୍ରଶାସନ ପକ୍ଷରୁ ନିଜ ଆଡ଼ୁ ମାମଲା ରୁଜୁ କରାଯାଇଛି । ମୃତ ବ୍ୟକ୍ତିଙ୍କ ନାଁରେ କେମିତି ଭତ୍ତା ଉଠିଲା, କିଏ ଟିପ ଚିହ୍ନ ଦେଲେ ? ଏହି ଦୁର୍ନୀତି ଅଭିଯୋଗରେ ଆଉ କିଏ କିଏ ସମ୍ପୃକ୍ତ ସବୁକିଛିର ତଦନ୍ତ ପାଇଁ ଜିଲ୍ଲାପାଳ ଜଗତସିଂହପୁର ବିଡିଓ ମାନସ ରଞ୍ଜନ ଭୋଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଆଳୁ ଖୋଳୁ ଖୋଳୁ ମହାଦେବା ବାହାରିବା ଭଳି ନନ୍ଦିଘୋଷ ଟିଭି ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଭତ୍ତା ବଣ୍ଟନ ତଥ୍ୟ ଜାଣିବା ପାଇଁ ସ୍ଥାନୀୟ ବାସିନ୍ଦା ଦେବେନ୍ଦ୍ର କୁମାର ନନ୍ଦ ଖଇରଙ୍ଗ ପଞ୍ଚାୟତ ଅଫିସରୁ ବ୍ଲକ୍ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟିଥିଲେ । ହେଲେ, ସହଯୋଗ ମିଳିନଥିଲା । ଶେଷରେ ସେ ବାଧ୍ୟ ହୋଇ ସୂଚନା ଅଧିକାର ଆଇନର ଆଶ୍ରୟ ନେଇଥିଲେ । ଆଉ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ସାଂଘାତିକ ତଥ୍ୟ ଆହୁରି ରହସ୍ୟ ଭିତରକୁ ଟାଣି ନେଇଥିଲା ।

୨୦୧୭ରୁ ଖଇରଙ୍ଗର ମଧୁସୂଦନ ବାରିକଙ୍କ ମୃତ୍ୟୁ ହେଲାଣି । ମୃତ୍ୟୁ ପ୍ରମାଣପତ୍ର ବି ଅଛି । କିନ୍ତୁ ମୃତ୍ୟୁର ମାସ ମାସ ପରେ ବି ତାଙ୍କ ଟିପ ଚିହ୍ନରେ ଟଙ୍କା ଉଠୁଛି । କେବଳ ମଧୁସୂଦନ ନୁହଁନ୍ତି ମଲା ପରେ ବି ଗାଁର ସୁନ୍ଦରୀ ନାଥ ଓ ସୁଦର୍ଶନ ନାଥଙ୍କ ନାଁରେ ଉଠିଛି ଭତ୍ତା ଟଙ୍କା । ଏହାପରେ ଆମେ ଅନୁସନ୍ଧାନକୁ ଆଗକୁ ବଢ଼ାଇଥିଲୁ । ଇନଭେଷ୍ଟିଗେସନରୁ ଜାଣିବାକୁ ପାଇଥିଲୁ ପ୍ରାୟ ଏମିତି ୩୦ ଜଣଙ୍କ ନାଁରେ ମଲା ପରେ ବି ଭତ୍ତା ଟଙ୍କା ସହ ଅନ୍ୟ ସରକାରୀ ଯୋଜନାରେ ହଡ଼ପ କରାଯାଇଛି ।୨ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ସରକାରୀ ଯୋଜନାରେ ଅର୍ଥ ଓ ସହାୟତା ହଡ଼ପ ଚାଲିଛି । ତେବେ, ଏଥିରେ କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । ନା ମନ୍ଦିରରେ ମୁଣ୍ଡି ମାରିବା ନାଁରେ ପ୍ରଶାସନ ଜାଣତରେ ଚାଲିଛି ସବୁକିଛି । ଖବର ପ୍ରସାରଣ ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ, ଦେଖିବାର କଥା ପ୍ରଶାସନ ଦେଇଥିବା ତଦନ୍ତ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଉଛି ?

Leave a Reply