ରାଜଧାନୀରେ ବୁଲୁଛି ଦନ୍ତାହାତୀ: ଆତଙ୍କିତ ଲୋକେ

ଭୁବନେଶ୍ୱର: ସହରମୁହାଁ ହାତୀପଲ । ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରୁ ଇନ୍‌ଫୋସିଟି ଇଲାକାକୁ ପଶି ଆସିଛନ୍ତି ଗଜରାଜ । ଫସଲ ନଷ୍ଟ ଆଉ ଗାଡି ଭଙ୍ଗାରୁଜା ସହ ହାତୀ ଆକ୍ରମଣରେ ଜଣେ ଶ୍ରମିକ ବି ଗୁରୁତର ହୋଇଛନ୍ତି । ହାତୀ ଉପଦ୍ରବ ଓ ବନବିଭାଗର ଉଦାସୀନତା ଯୋଗୁଁ ଭୟଭୀତ ଅଞ୍ଚଳବାସୀ ।

ଭୁବନେଶ୍ୱରକୁ ଲାଗି ରହିଛି ଚନ୍ଦକା ଜଙ୍ଗଲ । ଚନ୍ଦକା ଅଭୟାରଣ୍ୟରୁ ନିୟମିତ ବ୍ୟବଧାନରେ ସହରମୁହାଁ ହେଉଛନ୍ତି ଗଜରାଜ । ନିକଟରେ କଳିଙ୍ଗ ବିହାରରେ ହାତୀ ପଶିବା ପରେ ଆଜି ପୁଣି ଇନ୍‌ଫୋସିଟି ଇଲାକାରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ଚନ୍ଦକା ଜଙ୍ଗଲରୁ ଦୁଇଟି ହାତୀ ଦାରୁଠେଙ୍ଗ ଓ ପଥରଗାଡ଼ିଆ ଦେଇ ପଶି ଆସିଥିଲେ ।

ଗୋଟିଏ ହାତୀ ଜଙ୍ଗଲ ଭିତରକୁ ଚାଲିଯିବା ଫଳରେ ଏକୁଟିଆ ହୋଇ ବାଟବଣା ହୋଇଯାଇଥିଲା ଆଉ ଏକ ଦନ୍ତାହାତୀ । ଆରମ୍ଭ କରିଥିଲା ଉପଦ୍ରବ । ଗାଡି ଭଙ୍ଗାରୁଜା ସହିତ ଫସଲ ନଷ୍ଟ କରିଦେଇଥିଲା । ଏପରିକି ଶୌଚ କରିବାକୁ ଯାଇଥିବା ଜଣେ ଶ୍ରମିକ ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲା ।

ଭୋରରୁ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ହାତୀ ଘଉଡା ଅଭିଯାନ। ଗ୍ରାମବାସୀଙ୍କ ସହଯୋଗରେ ସାଇରନ୍‌ ଓ ଶବ୍ଦ କରି ହାତୀକୁ ଘଉଡାଇବାକୁ ଚେଷ୍ଟା କରାଯାଇଥିଲା । ଭରତପୁର ଜଙ୍ଗଲ ଆଡକୁ ହାତୀଟି ପ୍ରବେଶ କରିଥିବା ବେଳେ ତାକୁ ପୁଣି ଚନ୍ଦକା ଜଙ୍ଗଲ ଭିତରକୁ ପଠାଇବାକୁ ଜଙ୍ଗଲ ବିଭାଗର ଉଦ୍ୟମ ଜାରି ରହିଛି । ହାତୀକୁ ନେଇ ଚନ୍ଦକା ଜଙ୍ଗଲ ଆଖପାଖରେ ବସବାସ କରୁଥିବା ବସ୍ତିବାସିନ୍ଦା ଚିନ୍ତାରେ ରହୁଛନ୍ତି ।

 

Leave a Reply