ସଂକଟରେ ଆଉ ଦୁଇଟି ବ୍ୟାଙ୍କ୍,କେତେ ସୁରକ୍ଷିତ ଆପଣଙ୍କ ଜମା ଟଙ୍କା ?

ଦକ୍ଷିଣ ଭାରତର ଲକ୍ଷ୍ମୀବିଳାସ ବ୍ୟାଙ୍କ  ଓ ମନ୍ଥା ଅର୍ବାନ କୋପରେଟିଭ୍ ବ୍ୟାଙ୍କ ଉପରେ ଆର୍ଥିକ ସଙ୍କଟ ଆସିଛି । ଏହି କ୍ରମରେ ଉକ୍ତ ବ୍ୟାଙ୍କଗୁଡିକରେ ଟଙ୍କା ଜମା କରିଥିବା ଜମାକାରୀଙ୍କର ଚିନ୍ତା ବଢିଛି । ବ୍ୟାଙ୍କର ଆର୍ଥିକ ସ୍ଥିତି ଦୋହଲିଗଲେ ସେମାନଙ୍କ ଟଙ୍କା ସୁରକ୍ଷିତ ରହିବ କି ନାହିଁ କିମ୍ୱା ଯଦି ସୁରକ୍ଷିତ ରହିବ ତେବେ କେତେ ଟଙ୍କା ସୁରକ୍ଷିତ ଓ କେତେ ଟଙ୍କା ଅସୁରକ୍ଷିତ? – ଏଭଳି ଅନେକ ପ୍ରଶ୍ନ ଭାରତୀୟ ବ୍ୟାଙ୍କରେ ଟଙ୍କା ଜମା କରୁଥିବା ଜମାକାରୀମାନଙ୍କ ମଧ୍ୟରେ ରହିଛି । ଭାରତରେ କ୍ରମାଗତ ଭାବେ କିଛି ବ୍ୟାଙ୍କର ବିତ୍ତୀୟସ୍ଥିତି ନିଅଣ୍ଟିଆ ହେବାର ଦେଖିବାକୁ ମିଳୁଛି । ବିଗତ ଦିନରେ ପିଏମସି ଓ ୟେସ୍ ବ୍ୟାଙ୍କର ଅବସ୍ଥା ଦେଶର ଜମାକାରୀମାନେ ଦେଖି ସାରିଛନ୍ତି । ତେଣୁ ପୁଞ୍ଜି ଜମା କରିବା ପୂର୍ବରୁ ଧନରାଶିର ସୁରକ୍ଷା ନିଶ୍ଚିତ କରିବା ଗ୍ରାହକଙ୍କର ଏକ ପ୍ରକାର ଅଧିକାର ।

ତେବେ କଣ ରହିଛି ଏନେଇ ପ୍ରାବଧାନ –

ଭାରତରେ ବ୍ୟାଙ୍କିଂ ସେକ୍ଟରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ନିୟନ୍ତ୍ରଣକାରୀ କେନ୍ଦ୍ରୀୟ ବ୍ୟାଙ୍କ ସ୍ଥାପନ କରିଛନ୍ତି । ଯାହାକୁ ଆମେ ମଧ୍ୟ ଏକ ବ୍ୟାଙ୍କ ଭାବେ ଜାଣୁ । ଯଦିଓ ଏହା ଏକ ବ୍ୟାଙ୍କ କିନ୍ତୁ ଏହାର ପ୍ରମୁଖ କାମ ସାଧାରଣ ଲୋକଙ୍କ ସହ ଜଡିତ ନୁହେଁ । ବିଶେଷ ଭାବେ ଦେଶର ସକ୍ରିୟ ଥିବା ସମସ୍ତ ରାଷ୍ଟ୍ରାୟତ୍ତ ଓ ଅଣରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ନିୟନ୍ତ୍ରଣ କରିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କାମ । ପୂର୍ବରୁ ସମବାୟ ବ୍ୟାଙ୍କ ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲେ, ଏବେ ସେ ସୁବିଧା ରାଜ୍ୟଠାରୁ ଉଚ୍ଛେଦ କରାଯାଇଛି । ଆରବିଆଇ ଉକ୍ତ ବ୍ୟାଙ୍କଗୁଡିକୁ ମଧ୍ୟ ପରିଚାଳିତ କରୁଛି ।

ନିୟମ ଅନୁଯାୟୀ, ସବୁ ବ୍ୟାଙ୍କ ସିଆରଆର ପାଣ୍ଠି ବାବଦକୁ ଜମାକାରୀଙ୍କ ଅର୍ଥର ୩ ପ୍ରତିଶତ, ନଗଦ ରାଶି ଆକାରରେ ଆରବିଆଇ ପାଖରେ ଜମା ରଖିବେ । ଏହି ଟଙ୍କା ଖର୍ଚ୍ଚ କରିବାରୁ ଅନୁମତି ବ୍ୟାଙ୍କ ପାଖରେ ନାହିଁ । ସେହିଭଳି ଏକ ଏସଏଲଆର ପାଣ୍ଠି ମଧ୍ୟ ରହିଛି । ଯେକୌଣସି ବ୍ୟାଙ୍କ  ସମୁଦାୟ ଜମାର ୧୮ ପ୍ରତିଶତ ନିଜ ପାଖରେ ରଖିବାକୁ ବାଧ୍ୟ । ବଳକା ଟଙ୍କାକୁ ବ୍ୟାଙ୍କ ଅନ୍ୟ କୌଣସି ବ୍ୟାପାରରେ ବିନିଯୋଗ କରିପାରିବେ । ଅର୍ଥାତ୍ ସମୁଦାୟ ଟଙ୍କାର ଅର୍ଥର ୧୮ ପ୍ରତିଶତ ଓ ଏହା ବ୍ୟତୀତ ଜମାକାରୀଙ୍କ ଟଙ୍କାର ୩ ପ୍ରତିଶତ ରାଶି ଅତିକମରେ ବ୍ୟାଙ୍କ ପାଖରେ ସୁରକ୍ଷିତ ଅଛି ।

ବିଶେଷ ଭାବେ କୌଣସି ଜରୁରୀକାଳୀନ ସ୍ଥିତିରେ ବ୍ୟାଙ୍କର ବିତ୍ତୀୟ ସ୍ଥିତି ବଞ୍ଚାଇ ରଖିବା ପାଇଁ ଏଭଳି କରାଯାଇଥାଏ । ତେବେ ଏହି ସୁରକ୍ଷିତ ଅର୍ଥକୁ ବାଦ ଦେଇ ବ୍ୟାଙ୍କ ଅନ୍ୟ ସମସ୍ତ ରାଶିକୁ ଋଣ କିମ୍ୱା ପୁନଃ ବିନୋଯୋଗ କରିବା ପାଇଁ ମୁକ୍ତ । ତେବେ ବ୍ୟାଙ୍କର ବିତ୍ତୀୟ ନିଅଣ୍ଟ ବେଳେ ସେମାନଙ୍କୁ ଆରବିଆଇର ସୁରକ୍ଷା ରହିଥାଏ । ଜରୁରୀକାଳୀନ ସ୍ଥିତିରେ ପୁଞ୍ଜି ଯୋଗାଡ଼ କରି ରିଜର୍ଭ ବ୍ୟାଙ୍କ, ଯେକୌଣସି ବ୍ୟାଙ୍କର ଅସ୍ତିତ୍ୱ ବଞ୍ଚାଇଥାଏ ।

ଅନ୍ୟପକ୍ଷରେ ଜମାକାରୀଙ୍କର ବିଶ୍ୱାସ ଜିତିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ଉଦ୍ୟମ ରହିଛି । ପୂର୍ବରୁ ୧ ଲକ୍ଷ ଓ ଏବେ ମୋଦି ସରକାରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଅର୍ଥରାଶି ଜମା ଉପରେ ବ୍ୟାଙ୍କଗୁଡିକ ବୀମା ସୁବିଧା ଦେଉଛନ୍ତି । ଅର୍ଥାତ୍ ଅତିକମରେ ୫ ଲକ୍ଷ ଟଙ୍କା ବ୍ୟାଙ୍କରେ ରଖିଥିବା ବ୍ୟକ୍ତି ବୀମା ଯୋଜନା ମାଧ୍ୟମରେ ଆର୍ଥିକ ଜରୁରୀକାଳୀନ ସ୍ଥିତିରେ ମଧ୍ୟ ନିଜ ଟଙ୍କା ଫେରି ପାଇପାରିବ ।

 

Leave a Reply