ପୁଣି ପେଟ୍ରୋଲ ପମ୍ପରେ ଠେକେଇ, ଟଙ୍କା ନେଉଛନ୍ତି ହେଲେ ଦେଉନାହାନ୍ତି ଡିଜେଲ୍‌ !

1 min read

ଗଜପତି: ପୁଣି ସାମ୍ନାକୁ ଆସିଲା ପେଟ୍ରୋଲ ପମ୍ପରେ ଠେକେଇ । ପଇସା ନେଉଛନ୍ତି ହେଲେ ଦେଉନାହାନ୍ତି ପେଟ୍ରୋଲ-ଡିଜେଲ୍‌ । ଅନେକ ସମୟରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । କେଉଁଠି ଲିଟର ଅନୁସାରେ ମାଗିଲେ ତେଲ କମ୍‌ ଆସେ ତ କେଉଁଠି ଟଙ୍କା ହିସାବରେ ମାଗିଲେ ବି ତେଲ କମ୍‌ ଆସେ । ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ପେଟ୍ରୋଲ ପମ୍ପରେ ଏଭଳି ଅନୀୟମିତତା ହେଉଥିବା ପୂର୍ବରୁ ଅଭିଯୋଗ ହୋଇସାରିଛି । ଏମିତିକି ପେଟ୍ରୋଲ୍‌ ପମ୍ପରେ ଉତ୍ତେଜନା ମଧ୍ୟ ଦେଖାଦେଇଛି ।

ଏବେ ଠିକ୍‌ ସେହିଭଳି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ । ଏକ ପେଟ୍ରୋଲ ପମ୍ପରେ ଜଣେ ବ୍ୟକ୍ତି ୩୨୦ ଲିଟର ଡିଜେଲ୍‌ ମାଗିଥିଲେ । ହେଲେ ନୋଜେଲରୁ ବାହାରିଥିଲା ମାତ୍ର ୩୦୦ ଲିଟର । ୨୦ଲିଟର ଡିଜେଲର ପଇସା ନେଇଥିଲେ ମଧ୍ୟ ତାହା ନୋଜେଲରୁ ବାହାରି ନଥିଲା ।

ଗତ ଦୁଇ ମାସ ଧରି ଏଭଳି କମ୍ ତେଲ ବାହାରୁଥିବା ସନ୍ଦେହ କରାଯାଉଥିବା ବେଳେ ବୁଧବାର ସକାଳୁ ଗ୍ରାହକଙ୍କ ପକ୍ଷରୁ ଏହାର ପ୍ରତିବାଦ କରି ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖାଦେଇଛି । ଖବରପାଇ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ତନଖି ଆରମ୍ଭ ହୋଇଥିଲା । ତଦନ୍ତ ପରେ କମ୍‌ ପେଟ୍ରୋଲ ବାହାରୁଥିବା ସ୍ପଷ୍ଟ ହୋଇଥିଲା । ଫଳରେ ଡିଜେଲ ନୋଜେଲ ଗୁଡ଼ିକୁ ତୁରନ୍ତ ସିଲ୍ କରାଯାଇଛି ।

ସରକାରଙ୍କ ଆଦିବାସୀ ଉନ୍ନୟନ ସୋସାଇଟି ପକ୍ଷରୁ ଏହି ପେଟ୍ରୋଲ ପମ୍ପ ପରିଚାଳିତ ହେଉଛି । ସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ସତ୍ତ୍ୱେ ଏପରି ଠକେଇ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ତେବେ ବିଭାଗ ପକ୍ଷରୁ ଏନେଇ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

Leave a Reply