ନକଲି ଓ୍ୱେବସାଇଟ୍‌ ଖୋଲି ଲୁଟୁଥିଲେ କୋଟି କୋଟି ଟଙ୍କା: ଓ୍ୱାର୍ଣ୍ଣିଂ ମେଲ୍‌ ଜାରି କଲା IRCTC

1 min read

ଭୁବନେଶ୍ୱର: ବେଆଇନ ଇ-ଟିକେଟିଂ ରାକେଟର ପର୍ଦ୍ଦାଫାସ କରିଛି ରେଳବାଇ ସୁରକ୍ଷା ବାହିନୀ । ନକଲି ଓ୍ୱେବସାଇଟ୍ ଖୋଲି ଲୋକଙ୍କୁ ଠକୁଥିଲେ । ଏହା ପରେ ରେଳବାଇ ପକ୍ଷରୁ ତାହାର ପଞ୍ଜିକୃତ ଗ୍ରାହଙ୍କୁ ଜାରି କରାଯାଇଛି ଓ୍ୱାର୍ଣ୍ଣିଂ ମେଲ୍‌ ।

ଯେଉଁଥିରେ ଏଭଳି ନକଲି ଓ୍ୱେବସାଇଟ୍ ସମ୍ପର୍କରେ ଅବଗତ କରାଯାଇଛି । ମେଲ୍‌ରେ କୁହାଯାଇଛି www.irctctour.com ନାଁରେ ଆଇଆରସିଟିସିର ଏକ ଅବିକଳ ନକଲ ଓ୍ୱେବସାଇଟ୍‌ ଖୋଲଯାଇଛି । ଯେଉଁଥିରେ ଲୋକଙ୍କୁ ବିଭିନ୍ନ ଟୁର୍‌ ପ୍ୟାକେଜ ଅଫର୍‌ କରାଯାଉଛି । ସେଥିରେ ନେଣ ଦେଣ କରୁଥିବା ଯାତ୍ରୀଙ୍କୁ ନକଲି ଟିକଟ୍ ଦେବା ସହ ସେମାନଙ୍କୁ ଠକୁଥିବା କୁହାଯାଇଛି । ଏଥିସହ ଏହି ନକଲି ଓ୍ୱେବସାଇଟ୍ ନାଁରେ ଆଇଆରସିଟିସି ପକ୍ଷରୁ ଅଫିସିଆଲ୍‌ ଅଭିଯୋଗ ମଧ୍ୟ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତ କାଲି ଏହି ବଡ଼ ଧରଣ ବେଆଇନ୍‌ ଇ-ଟିକେଟିଂ ରାକେଟ୍‌ର ପର୍ଦ୍ଦାଫାସ କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଆରପିଏଫ୍‌ ଡିଜି ଅରୁଣ କୁମାର ସାହୁ । ଏହି ମାଷ୍ଟର ମାଇଣ୍ଡ ଗୁଲାମ ମୁସ୍ତାଫାକୁ ଗିରଫ କରି ପଚରାଉଚରା କରୁଛି ଆରପିଏଫ୍‌ । ଗିରଫ ଅଭିଯୁକ୍ତ ଝାଡଖଣ୍ଡର ଏକ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଏଭଳି ଜାଲିଆତି କରି ମାସିକ ପ୍ରାୟ ୧୦ରୁ ୧୫ କୋଟି ଆୟ କରୁଥିବା ପଚରାଉଚରା ବେଳେ ଆରପିଏଫ୍‌ ଜାଣିବାକୁ ପାଇଛି । ଏହି ଟଙ୍କାକୁ ମନି ଲର୍ଣ୍ଡିଂ ଓ ଟେରର୍‌ ଫଣ୍ଡିରେ ବ୍ୟବହାର କରୁଥିବା ସୂଚନା ରହିଛି । ତା’ ପାଖରୁ ଏଏନ୍‌ଏମ୍ଏସ୍‌ ନାମକ ସପ୍ଟଓ୍ୱେୟାର ଏବଂ ୨ଟି ଲାପଟପ୍‌ ଜବତ କରାଯାଇଛି । ଏଥିସହ ୫୬୩ ଆଇଆରସିଟିସି ଆଇଡି, ୨୪୦୦ ଏସ୍‌ବିଆଇ ଏବଂ ୬୦୦ ଗ୍ରାମୀଣ ବ୍ୟାଙ୍କର ଖାତା ଜବତ କରିଛି ଆରପିଏଫ୍‌ । ୨୦୧୯ରେ ଉତ୍ତରପ୍ରଦେଶର ଏକ ବିଦ୍ୟାଳୟରେ ଘଟିଥିବା ଏକ ବିସ୍ଫୋରଣ ମାମଲାରେ ସାମିଲ ଥିବା ମଧ୍ୟ ଜଣାପଡ଼ିଛି ।

Leave a Reply