ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଷ୍ପତ୍ତିର ଦିନ

 

କରୋନା କାରଣରୁ ଏଥର ଆଇପିଏଲ ଟଳିପାରେ । ଆଇପିଏଲର ଭାଗ୍ୟ ସୂତାଖିଅରେ ଝୁଲୁଛି । ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନ ୧୩ ବାତିଲ ହେବା ପ୍ରାୟତଃ ନିଶ୍ଚିତ । ଆଇପିଏଲକୁ ବାତିଲ କରିବା ପାଇଁ କିମ୍ବା ତାରିଖ ଘୁଞ୍ଚାଇବା ପାଇଁ ବିସିସିଆଇ ଚିନ୍ତା କରୁଛି ।  ଏନେଇ ଅନ୍ତିମ ନିଷ୍ପତି ଶନିବାର ଦିନ ନିଆଯିବ । ବିସିସିଆଇ ଶନିବାର ଦିନ ମୁମ୍ବାଇରେ ଆଇପିଏଲ ଗଭର୍ଣ୍ଣିଂ ବଡି ବୈଠକ ଡକାଇଛି । ଏନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେସ ପଟେଲ ସୂଚନା ଦେଇଛନ୍ତି । ବୈଠକରେ କରୋନା କାରଣରୁ ଆଇପିଏଲକୁ ବାତିଲ କରାଯିବ କିମ୍ବା ନୂଆ ତାରିଖରେ ଏହାକୁ ଆରମ୍ଭ କରାଯିବ ସେନେଇ ନିଷ୍ପତି ନିଆଯିବ ।

ଆଇପିଏଲ ଘୁଂଚିବା ନେଇ ଆଶଙ୍କା ପଛରେ ଆଉ ଗୋଟିଏ କାରଣ ମଧ୍ୟ ରହିଛି । କରୋନା ଆତଙ୍କ ପରେ ମହାରାଷ୍ଟ୍ର ସରକାର ଆଇପିଏଲ ଟିକେଟ୍ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ସରକାର ଗହଳି ଚହଳି ସ୍ଥାନକୁ ନଯିବା ପାଇଁ ଲୋକଙ୍କୁ ଉପଦେଶ ଦେଉଥିବା ବେଳେ ଷ୍ଟାଡିୟମରେ ହଜାର ହଜାର ଲୋକଙ୍କୁ ଏକାଠି ହେବା ନିଶ୍ଚିତ ଭାବେ ଚାହିଁବେନି । କାରଣ କରୋନା ଭାଇରସ ଏହା ଦ୍ୱାରା ସହଜରେ ବ୍ୟାପିବା ଆଶଙ୍କା ରହିଛି ।

ବୁଧବରା ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରି ଘୋଷଣା ପରେ ଆଇପିଏଲ ଘୁଂଚିବା ଆଶଙ୍କା ବଢି ଯାଇଛି । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଛି । ୫ ହଜାରରୁ ଅଧିକ କରୋନା କାରଣରୁ ପ୍ରାଣ ହରାଇଲେଣି । ୧୦୫ ଦେଶରେ କରୋନା ନିଜ ଉପସ୍ଥିତି ଜାହିର କରି ସାରିଲାଣି । ସେହି ଦେଶଙ୍କ ତାଲିକାରେ ଭାରତ ମଧ୍ୟ ରହିଛି ।  ଭାରତରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସତର୍କତା ମୁଳକ ପଦକ୍ଷେପ ସ୍ୱରୁପ କେନ୍ଦ୍ର ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରି ଦେଇଛନ୍ତି । ଅଧିକ ସଂଖ୍ୟାରେ ଏକତ୍ରିତ ହେଉଥିବା କାର୍ଯ୍ୟକ୍ରମ ଉପରେ କେନ୍ଦ୍ର କଟକଣା ଲାଗୁ କରିଛି । ଭାରତ ଭଳି ବିଭିନ୍ନ ଦେଶ ସ୍ପୋର୍ଟିଂ ଇଭେଣ୍ଟ୍ ଓ ମ୍ୟୁଜିକାଲ ପ୍ରୋଗ୍ରାମ ଉପରେ ଏଥିପାଇଁ ପ୍ରତିବନ୍ଧକ ଲାଗୁ କରୁଛନ୍ତି । ଟୋକିଓ ଅଲମ୍ପିକ୍ସକୁ ନେଇ ମଧ୍ୟ ଆଶଙ୍କା ଲାଗି ରହିଛି । କରୋନା ଭାଇରସ ଆତଙ୍କ ଜାରି ରହିଲେ  ଅଲମ୍ପିକ୍ସ ଆୟୋଜନକୁ ବର୍ଷରେ ଦୁଇ ବର୍ଷ ବାତିଲ ହେବ ବୋଲି ପ୍ରଥମେ ଟୋକିଓ ଅଲମ୍ପିକ୍ସ ଆୟୋଜନ କମିଟିର ଜଣେ ସଦସ୍ୟ କହିଥିଲେ । ତେବେ ପରେ ଅଲମ୍ପିକ୍ସ ନିର୍ଧାରିତ ସମୟରେ ଆୟୋଜିତ ହେବ ବୋଲି ବୁଧବାର ଦିନ କୁହାଯାଇଛି । ଟୋକିଓ ଆୟୋଜନ କମିଟି କିମ୍ବା ଅନ୍ତର୍ଜାତୀୟ ଅଲମ୍ପିକ୍ସ ଅଲମ୍ପିକ୍ସ ଘୁଞ୍ଚାଇବା କଥା ଚିନ୍ତା କରୁ ନାହାନ୍ତି ବୋଲି କୁହାଯାଇଛି । ଏହି ସ୍ପଷ୍ଟୀକରଣ ପରେ ମଧ୍ୟ ଟୋକିଓ ଅଲମ୍ପିକ୍ସକୁ ନେଇ ସନ୍ଦେହ ଅଛି ।

Leave a Reply