IPL 2020: Do Or Die ମ୍ୟାଚରେ ଲଢେଇ କରିବେ ପଞ୍ଜାବ-ହାଇଦ୍ରାବାଦ

1 min read

ଭୁବନେଶ୍ୱର: ଆଇପିଏଲ ରୋଚକ ମୋଡ ନେବା ଆରମ୍ଭ କଲାଣି । ଦିଲ୍ଲୀ, ମୁମ୍ୱାଇ ଓ ବାଙ୍ଗାଲୋର ପ୍ରଥମ ୩ଟି ସ୍ଥାନରେ ଥିବା ବେଳେ ପ୍ରାୟତଃ ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ଏକପ୍ରକାର ନିଶ୍ଚିତ । ତେବେ ୪ର୍ଥ ସ୍ପଟ୍ ପାଇଁ ଏବେ ମଧ୍ୟ ଭିଡା ଓଟରା ଚାଲିଛି । କୋଲକତା, ପଞ୍ଜାବ, ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ ମଧ୍ୟରୁ କେହି ଜଣେ ଟପ୍ ୪ରେ ପ୍ରବେଶ କରିବେ । ତେବେ ଏହି ୪ଙ୍କ ମଧ୍ୟରୁ କିଏ ଏହି ସୁଯୋଗ ହାତେଇବା ତା’ ପାଇଁ ଏବେ ଲଢେଇ ଜୋରସୋରରେ ହେଉଛି ।

ଇତିହାସ କଣ କହୁଛି :

ଏହିକ୍ରମରେ ଆଜି ସନରାଇଜର୍ସ ହାଇଦ୍ରାବାଦ୍ ଭେଟିବ କିଙ୍ଗ୍ସ ଏକାଦଶ ପଞ୍ଜାବକୁ । ଉଭୟ ଟିମ୍ ୪ଟି ଲେଖାଏଁ ମ୍ୟାଚ ଜିତି ୮ ପଏଣ୍ଟ ହାତେଇଥିବା ହେତୁ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ଲେ-ଅଫକୁ  ଯିବାକୁ ହେଲେ ଆଜିର ମ୍ୟାଚ ଜିତିବା ଏକପ୍ରକାରର ବାଧ୍ୟତା । ଉଭୟଙ୍କ ପାଖରେ ଆଉ ୪ଟି ମ୍ୟାଚ୍ ବାକି ଥିବା ହେତୁ, ୪ଟିରୁ ୪ଟି ଜିତିବା ହିଁ ଦଳର ଏକମାତ୍ର ଲକ୍ଷ୍ୟ ରହିବ । ଅନ୍ୟପକ୍ଷରେ ୨୦୧୩ରୁ ଆଜି ପର୍ଯ୍ୟନ୍ତ ଉଭୟ ଟିମ୍ ୧୫ଟି ମୁକାବିଲାରେ ସାମ୍ନାସାମ୍ନି ହୋଇଥିବା ବେଳେ କିଙ୍ଗ୍ସ ଇଲଭେନ୍ ପଞ୍ଜାବ ମାତ୍ର ୪ଟିରେ ବିଜୟ ହୋଇଛି । ସେହିଭଳି ଏହି ସିଜିନରେ ମଧ୍ୟ ଦୁଇ ଟିମଙ୍କ ମଧ୍ୟରେ ଗୋଟିଏ ମୁକାବିଲା ଶେଷ ହୋଇଛି । ଉକ୍ତ ମ୍ୟାଚରେ ସନରାଇଜର୍ସ ୬୯ ରନରେ ବିଜୟ ଲାଭ କରିଥିଲା । ଅର୍ଥାତ୍ ଇତିହାସର ରେର୍କଡ ଆଧାରରେ ଦେଖିଲେ ପଞ୍ଜାବ ଯଥେଷ୍ଟ ଖରାପ ପ୍ରଦର୍ଶନ କରିଛି ।

Hyderabad IPL 2020

କର ବା ମର ସ୍ଥିତି :

ତେବେ ଅନ୍ୟପକ୍ଷରେ ପଞ୍ଜାବ ଏହି ଟୁର୍ଣ୍ଣାମେଣ୍ଟରେ ଆରମ୍ଭରୁ ଖରାପ ଖେଳୁଥିଲେ ମଧ୍ୟ ଗତ ତିନୋଟି ମ୍ୟାଚରେ ନିଜ ପ୍ରଦର୍ଶନକୁ ଉଚ୍ଚକୋଟୀର କରିଛି । ତିନି ଟେବୁଲ ଟପର୍ ଦିଲ୍ଲୀ, ମୁମ୍ୱାଇ ଓ ବାଙ୍ଗାଲୋରକୁ ହରାଇ ପଞ୍ଜାବ ନିଜ ଆତ୍ମବିଶ୍ୱାସ ଫେରି ପାଇଛି । ଏଣୁ ବଳକା ମ୍ୟାଚରେ ପଞ୍ଜାବ ପ୍ରଦର୍ଶନ ଭଲ ରହିବ ବୋଲି ଆଶା କରାଯାଇପାରେ । ତେବେ ଉଭୟଙ୍କ ପାଇଁ ଏହା ଏକ ଅଗ୍ନି ପରୀକ୍ଷାଠାରୁ କିଛି କମ୍ ନୁହେଁ । ଆସନ୍ତା ୪ଟି ଯାକ ମ୍ୟାଚ ଜିତିବା ପରେ ହିଁ ଏକ ନିଶ୍ଚିତ ଟପ୍-୪ତାଲିକାରେ ନିଜକୁ ଦେଖିପାରିବେ । ଏଣୁ ଆଜି ସନ୍ଧ୍ୟାର ଏହି ମ୍ୟାଚ୍ ଉଭୟ ଦଳ ଜିତିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ।

କାହା ଉପରେ ରହିବ ନଜର :

ଧୁରନ୍ଧର ବ୍ୟାଟିଂ ଲାଇନ୍ ଅପ୍ ସହ ପଞ୍ଜାବ ଓ ସନରାଇଜର୍ସ ପଡିଆକୁ ଓହ୍ଲାଇବେ । କିଙ୍ଗ୍ସ ପକ୍ଷରୁ କେ ଏଲ ରାହୁଲ, ଖ୍ରୀଷ୍ଟୋଫେନ୍ ଗେଲ୍, ମୟଙ୍କ ଅଗ୍ରୱାଲ୍ ଓ ନିକୋଲସ୍ ପୁରନଙ୍କ ଭଳି ଇନଫର୍ମ ବ୍ୟାଟ୍ସ ମ୍ୟାନ ବ୍ୟାଟିଂ ଭାର ସମ୍ଭାଳିବେ । ସେହିଭଳି ହାଇଦ୍ରାବାଦର ମଙ୍ଗ ଧରିବେ, ଡେଭିଡ୍ ଓ୍ୱାର୍ଣ୍ଣର, କେନ୍ ଉଇଲିମସନ୍, ଇନ ଫର୍ମ ମନୀଷ ପାଣ୍ଡେ ଓ ଜନି ବେୟାରଷ୍ଟୋ । ଦେଖିବାକୁ ବାକି ରହିଲା କେଉଁ ଯୋଡି ଆଜିର ହାଇଭୋଲଟେଜ୍ ମ୍ୟାଚରେ ପ୍ରଦର୍ଶନକୁ ଆଶାନୂରୁପ ରଖିପାରିବେ । ତେବେ ବୋଲିଂ ୟୁନିଟରେ କିଙ୍ଗସ୍ କ୍ରମାଗତ ଭାବେ ଏକ୍ସପିରିମେଣ୍ଟ କରି ଚାଲିଥିବା ବେଳେ ଭୁବନେଶ୍ୱର କୁମାର ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ପରେ ହାଇଦ୍ରାବାଦର ବୋଲିଂ ୟୁନିଟରେ ଧାର କମିଛି । କିନ୍ତୁ ଏବେ ମଧ୍ୟ ନଟରାଜନ୍ ଉଚ୍ଚକୋଟୀର ବୋଲିଂ କରିବାରେ ସିଦ୍ଧହସ୍ତ । ସେହିଭଳି ରସିଦ୍ ଖାନ ହାଇଦ୍ରାବାଦ ବୋଲିଂ ୟୁନିଟର ମଞ୍ଜି । ମ୍ୟାଚକୁ ହାଇଦ୍ରବାଦ ସପକ୍ଷରେ ମୋଡିବା ପାଇଁ ସେ ଏକାହିଁ ଯଥେଷ୍ଟ । ଅନ୍ୟପକ୍ଷରେ ପଞ୍ଜାବର ସାମି, ଅର୍ଶଦୀପ ଓ ମୃଗାନ ଅଶ୍ୱୀନି ଭଲ ପ୍ରଦର୍ଶନ କରୁଛନ୍ତି । ଦେଖିବାକୁ ବାକି ରହିଲା, ଆଜିର ମ୍ୟାଚରେ ସ୍ଥିତି କିଭଳି ରହୁଛି ।

Leave a Reply