ସୁଦର୍ଶନଙ୍କ ବାଲୁକା କଳାରେ ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା

1 min read
Amitabh Bachhan

ପୁରୀ: ବାଲିରେ ବିଗ୍ ବି । ଆଜି ବଲିଉଡ୍‌ ସେହନଶାହ ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୭୮ତମ ଜନ୍ମଦିନରେ ନିଜର ପାରମ୍ପରିକ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ଅମିତାଭଙ୍କୁ ଆଙ୍କି ଜନ୍ମଦିନର ଅଭିନବ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ । ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକ ମହଲରୁ ଅମିତାଭଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରି ଦେଇଛନ୍ତି ଶୁଭେଚ୍ଛା ବାର୍ତ୍ତା । ବଲୁକା ଚିତ୍ରକଳାରେ ଅମିତାଭଙ୍କ ପ୍ରତିକୃତିକୁ ସ୍ଥାନ ଦେଇ ୭୮ ତମ ଜନ୍ମଦିନର ଶୁଭେଚ୍ଛା ବାର୍ତା ଦେଇଛନ୍ତି ।

ବଲିଉଡର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ ୧୧ ଅକ୍ଟୋବର ୧୯୪୨ରେ ପ୍ରୟାଗରାଜରେ ଜନ୍ମ ଗ୍ରହଣ କରିଥିଲେ । ହିନ୍ଦି ସିନେମା ଜଗତରେ ଅମିତାଭଙ୍କୁ ସବୁଠୁ ଦିଗ୍‌ଗଜ ଅଭିନେତା ଭାବେ ବିବେଚନା କରାଯାଏ ।

ବିଗ୍ ବି ଅନେକ ସୁପର-ଡୁପର ହିଟ୍ ଚଳଚ୍ଚିତ୍ରରେ ନିଜକୁ ଅଲଗା ଅନ୍ଦାଜରେ ଲୋକଙ୍କ ସାମ୍ନାକୁ ଆଣିଛନ୍ତି । ଅମିତାଭ ତାଙ୍କ ପ୍ରେମ ଜୀବନରେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଆଜିକାଲି, ବିଗ୍ ବି ସୋନି ଟିଭିର ରିଆଲିଟି ସୋ ‘କୌନ ବନେଗା କରୋଡ୍‌ ପତି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେଣୁ ଏଥର ତାଙ୍କ ଜନ୍ମଦିନ ସୁଟିଂ ସେଟ୍‌ରେ ହିଁ ପାଳନ କରାଯିବ ବୋଲି ସ୍ଥିର ହୋଇଛି ।

ସୂଚନାନୁସାରେ, ବିଗ୍ ବିଙ୍କ ଜନ୍ମଦିନ ପାଇଁ ଏଥର କୌଣସି ପ୍ରକାରର ଜାକଜକମର ବ୍ୟବସ୍ଥା କରାଯାଇନାହିଁ । କାରଣ କରୋନା ପାଇଁ ଏଥର ସବୁକୁ ବାଦ୍‌ ଦିଆଯାଇଛି ବୋଲି ବିଗ୍‌ ବି’ଙ୍କ ପରିବାର ଲୋକେ କହିଛନ୍ତି ।

Leave a Reply