ଅପେକ୍ଷାର ଅନ୍ତ; ୧୫ ବର୍ଷ ପରେ ଯବାନଙ୍କୁ ମିଳିବ ଅତ୍ୟାଧୁନିକ ଆସଲ୍ଟ ରାଇଫଲ୍ସ

1 min read

ନୂଆଦିଲ୍ଲୀ: ୧୫ ବର୍ଷ ଅପେକ୍ଷାର ଅନ୍ତ । ଭାରତୀୟ ସେନାକୁ ମିଳିବାକୁ ଯାଉଛି ଆସଲ୍ଟ ରାଇଫଲ୍ସ । ପାକିସ୍ତାନ, ଚାଇନା ସୀମାରେ ଥିବା ଯବାନଙ୍କୁ ଏହି ଅତ୍ୟାଧୁନିକ ଅସ୍ତ୍ର ଯୋଗାଇ ଦିଆଯିବ । ଦୂରରେ ଥିବା ଶତ୍ରୁକୁ ବି ହିଟ୍‌ କରିବାର ସକ୍ଷମ ଏହି ରାଇଫଲ୍ସ । ଏହି ରାଇଫଲ ଆମେରିକାରୁ ଆସିବାକୁ ଯାଉଛି । ଆମେରିକାର ବନ୍ଧୁକ ତିଆରି କମ୍ପାନୀ ସିଗ୍‌ ସାୟର ଦ୍ୱାରା ତିଆରି କରାଯାଇଛି ଏହି ସବୁ ବିଧ୍ୱଂସକାରୀ ବନ୍ଧୁକ । ଭାରତକୁ ୭୨ ହଜାର ୪୦୦ଟି ବନ୍ଧୁକ ଆସିବାକୁ ଯାଉଥିବା ବେଳେ ୧୦ ହଜାର ବନ୍ଧୁକ ପ୍ରଥମ ପର୍ଯ୍ୟାୟରେ ଆସିଛି । ବନ୍ଧୁକର ନାଁ ହେଉଛି SiG-716 । ବଳକା ବନ୍ଧୁକ ୨୦୨୦ ମଧ୍ୟରେ ଆସିବ ବୋଲି ସୂଚନା ରହିଛି । ଯାହା ପାଇଁ ୬୩୮ କୋଟି ଟଙ୍କା ବ୍ୟୟ କରାଯାଇଛି ।

ଏହି ରାଇଫଲ ଏକେ-୪୭ ଠାରୁ ମଧ୍ୟ ଆହୁରି ଖତରନାକ । SiG-୭୧୬ ରାଇଫଲରେ ୭.୬୨x୫୧ଏମଏମର କ୍ୟାଲିବର ଏବଂ ୫୦୦ ମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି । ଯାହା ଏକେ-୪୭ର ଲକ୍ଷ୍ୟଭେଦ ଶକ୍ତି ଠାରୁ ୨୦୦ ମିଟର ଅଧିକ ରହିଛି । ସିଗ୍‌-୭୧୬ ରାଇଫଲ ବହୁତ ହାଲକା, ଖୁବ୍ ମଜଭୁତ । ଏହାକୁ ସହଜରେ ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ।

୬୬ ହଜାର ୪୦୦ ବନ୍ଧୁକ ସେନା ପାଇଁ, ୪ ହଜାର ବନ୍ଧୁକ ଭାରତୀୟ ବାୟୁସେନା ଏବଂ ୨ ହଜାର ବନ୍ଧୁକ ଭାରତୀୟ ନୌସେନାକୁ ଦିଆଯିବ । ଏହି ରାଇଫଲ ଭାରତରେ ନିର୍ମାଣ ହୋଇଥିବା ଇନସାସର ଜାଗା ନେବାକୁ ଯାଉଛି । ଏହା ବ୍ୟତୀତ ଉତ୍ତରପ୍ରଦେଶରେ କୋର୍ବା ଫ୍ୟାକ୍ଟ୍ରିରେ ୭ ଲକ୍ଷ ୪୫ହଜାର କ୍ଲାସନିକୋବ ରାଇଫଲ ତିଆରି କରାଯିବ । କ୍ଲାସନିକୋବ ଏକେ-୨୦୩ ରାଇଫଲ ଋଷ ଓ ଭାରତର ମିଳିତ ଉଦ୍ୟମରେ ତିଆରି ହେବ । ଏହି ବନ୍ଧୁକ ନିର୍ମାଣ ପାଇଁ ୧୨ ହଜାର କୋଟି ଟଙ୍କା ନିବେଶ ହେବାର ସୂଚନା ରହିଛି । ଏଥିରୁ କିଛି ଅସ୍ତ୍ର ପୋଲିସକୁ ଦିଆଯିବାର ବ୍ୟବସ୍ଥା ରହିଛି ।

 

Leave a Reply