ଆପ୍ ବ୍ୟାନ ପରେ ଚୀନ ସରକାରଙ୍କ କଡ଼ା ପ୍ରତିକ୍ରିୟା; କହିଲା, ସୁରକ୍ଷାର ଆଳ ଦେଖାଇ ଚୀନ୍ ଆପକୁ ବ୍ୟାନ କରାଯାଉଛି

1 min read

ନୂଆଦିଲ୍ଲୀ: ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟାହତ ହେଉଥିବା କଥା କହି ଚୀନର ୪୩ଟି ଆପକୁ ଗତକାଲି ବ୍ୟାନ କଲା । ଏହାପରେ ଚୀନ୍ ସରକାରଙ୍କ ଭାରତ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ହୋଇଥିବା ଦେଖିବାକୁ ମିଳିଛି । ଚୀନ୍ ଭାରତର ଏହି ନିଷ୍ପତ୍ତିକୁ ଯଥାର୍ଥ ବୋଲି ମାନିବାକୁ ପ୍ରସ୍ତୁତ ନଥିବା ବେଳେ ବିଶ୍ୱ ବ୍ୟାପାର ସଙ୍ଗଠନର ସର୍ତ୍ତାବଳୀର ଉଲଙ୍ଘନ ବୋଲି ମାନୁଛି । ସୂଚନାଯୋଗ୍ୟ ଭାରତ-ଚୀନ୍ ସୀମା ବିବାଦ ଆରମ୍ଭ ହେବା ପରେ ଭାରତ ଚୀନ୍ ଆପକୁ ବ୍ୟାନ କରିବା ଆରମ୍ଭ କରିଥିଲା । ଏହାପରଠାରୁ କ୍ରମାଗତ ଭାବେ ଆପ୍ ବ୍ୟାନ ହେବାରେ ଲାଗିଛି ।

ଏଯାବତ୍ ଏହି କ୍ରମରେ ୨୬୭ଟି ଆପ୍ ବ୍ୟାନ ହୋଇସାରିଲାଣି ।ଏହି ପରିପ୍ରେକ୍ଷୀରେ ମନ୍ତବ୍ୟ ରଖି ଚୀନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପ୍ରବକ୍ତା ଜି ରୋଙ୍ଗ୍ କହିଛନ୍ତି ଯେ, ଭାରତ ସୁରକ୍ଷାର ଆଳ ଦେଖାଇ କ୍ରମାଗତ ଭାବେ ଚୀନ୍ ନିର୍ମିତ ଆପକୁ ବ୍ୟାନ କରିବାରେ ଲାଗିଛି । ଭାରତ ସରକାରଙ୍କର ଏଭଳି ଆଭିମୁଖ୍ୟ ଓ ପଦକ୍ଷେପକୁ ଆମେ କଡ଼ା ଭାବେ ନିନ୍ଦା କରୁଛୁ । ଭାରତର ଏଭଳି ପଦକ୍ଷେପ ବିଶ୍ୱ ବ୍ୟାପାର ସଙ୍ଗଠନ ଆଇନକୁ ଉଲଙ୍ଘନ କରୁଛି । କୌଣସି ଦେଶମଧ୍ୟରେ ଭେଦଭାବ ନରଖି ମୁକ୍ତ ବଜାର ସୃଷ୍ଟି କରିବା ବିଶ୍ୱ ବ୍ୟାପାର ସଙ୍ଗଠନର ଲକ୍ଷ୍ୟ ହୋଇଥିବା ବେଳେ ଏଠାରେ ଚୀନ୍ ବିରୋଧରେ ପକ୍ଷପାତିତା କରାଯାଉଛି ।

ସେହିଭଳି ଚୀନ୍ ସରକାରଙ୍କ ସୁରକ୍ଷା ସମ୍ୱନ୍ଧିତ ପଦ୍ଧତି ଉପରେ ମନ୍ତବ୍ୟ ରଖି ସେ କହିଛନ୍ତି ଯେ, ଚୀନ୍ ସବୁବେଳେ ବ୍ୟକ୍ତିଗତ ସୁରକ୍ଷା କରିବା ପାଇଁ ବେସରକାରୀ ଉଦ୍ୟୋଗ ଓ କମ୍ପାନୀମାନଙ୍କୁ ଚତାଇଥାଏ । ନିର୍ଦ୍ଦେଶନାମା ପାଳନ କରି କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ । ତେଣୁ ଭାରତ ଆଣୁଥିବା ଆରୋପ ନିହାତି ପକ୍ଷେ ଭିତ୍ତିହୀନ ଅଟେ ।ଭାରତ-ଚୀନ୍ ବିବାଦକୁ ବିରୋଧ କରି ରୋଙ୍ଗ୍ କହିଛନ୍ତି ଯେ, ଦୁଇ ଦେଶ ପରସ୍ପର ପ୍ରତି ବିରୋଧାଭାଷା ରଖିବା ପରିବର୍ତ୍ତେ କିଭଳି ଭାବେ ଏକାଠି ହୋଇ ପରସ୍ପର ପାଇଁ ସୁଯୋଗ ସୃଷ୍ଟି କରିପାରିବେ ସେନେଇ ଧ୍ୟାନ ଦେବା ଉଚିତ୍ । ଏଭଳି ହେଲେ ଏସିଆ ମହାଦେଶର ଏହି ଦୁଇ ଦେଶ ଆର୍ଥିକ ପ୍ରଗତୀର ରାସ୍ତା ପାଇପାରିବେ ।

Leave a Reply