India Unlock 4: ଏଣିକି କେନ୍ଦ୍ର ସରକାରଙ୍କ ପରାମର୍ଶରେ ଲାଗୁ ହେବ ଲକଡାଉନ୍

1 min read

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାର ଶନିବାର ଅନଲକ୍-୪ ଗାଇଡଲାଇନ୍ ଜାରି କରିଛନ୍ତି । ଅନଲକ୍-୪ରେ କଣ ଖୋଲିବ, କଣ ବନ୍ଦ ରହିବ ସେନେଇ ନିର୍ଦ୍ଦେଶନାମା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ଜାରି କରିଥିବା ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ଇଚ୍ଛାରେ ସ୍ଥାନୀୟ ଲକଡାଉନ୍ ଲଗାଇ ପାରିବେ ନାହିଁ । ଏନେଇ ଗାଇଡଲାଇନରେ କୁହାଯାଇଛି କୌଣସି ବି ରାଜ୍ୟ କେନ୍ଦ୍ର ସରକାରଙ୍କ ସହ ବିନା ଆଲୋଚନା ଓ ବିଚାର ବିମର୍ଷ ନକରି ଲକଡାଉନ୍ ଲାଗୁ କରିପାରିବେ ନାହିଁ । ତେବେ, କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଲାଗୁ ସ୍ଥାନୀୟ ପ୍ରଶାସନ ହାତରେ ପୂର୍ବଭଳି ରହିଛି ।

କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ କୌଣସି ଅଞ୍ଚଳରେ ଏବେ ରାଜ୍ୟ ଇଚ୍ଛା ଅନୁସାରେ ଲକଡାଉନ୍ ଲଗାଇ ପାରିବ ନାହିଁ । ତେବେ, କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଆଗାମୀ ୩୦ ଦିନ ଯାଏଁ ଅର୍ଥାତ୍ ସେପ୍ଟେମ୍ବର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଲାଗୁ ରହିବ । ଏହି ସମୟରେ କେବଳ ଜରୁରୀ ସେବା ପାଇଁ ଅନୁମତି ଦିଆଯାଇଛି ।

ତେବେ, କେନ୍ଦ୍ର ସରକାର କାହିଁକି ରାଜ୍ୟ ହାତରୁ ଲକଡାଉନ୍ କ୍ଷମତା ଛଡ଼ାଇ ନେଲେ ? ଏହା ପଛର ମୁଖ୍ୟ କାରଣ ବ୍ୟାପାର ବା ଆର୍ଥିକ କାରବାର । ପୂର୍ବରୁ କେତକ ଉତ୍ପାଦନକାରୀ କମ୍ପାନୀ ଅଭିଯୋଗ କରିଥିଲେ କି ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ସମୟରେ ଲକଡାଉନ୍ ଲାଗୁ କରୁଛନ୍ତି । ଫଳରେ ସେମାନେ ସାମଗ୍ରୀ ପରିବହନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ କେନ୍ଦ୍ର ସରକାର ରାଜ୍ୟଠୁ ଲକଡାଉନ୍ କ୍ଷମତା ଛଡ଼ାଇ ନେବା ସହ ମେଟ୍ରୋ ଆରମ୍ଭ ନେଇ ନିଷ୍ପତ୍ତି ନେଇଛନ୍ତି ।

ସାପ୍ତାହିକ ଲକଡାଉନ୍ ଉପରୋ ରୋକ୍

କେନ୍ଦ୍ରର ନୂଆ ଗାଇଡଲାଇନ୍ ଅନୁସାରେ ଏବେ ଉତ୍ତରପ୍ରଦେଶ ଓ ଆସାମ ଭଳି ଅନ୍ୟ ରାଜ୍ୟ ଶନିବାର ଓ ରବିବାର କରୁଥିବା ଲକଡାଉନ୍ କରିପାରିବେ ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରଠାରୁ ଅନୁମତି ଆଣିବାକୁ ପଡ଼ିବ । ଏଥିସହ କେତକ ରାଜ୍ୟ ରାତିରେ ଲାଗୁ କରୁଥିବା ଲକଡାଉନରେ ମଧ୍ୟ ରିହାତି ଦେବାକୁ ପଡ଼ିବ ।

କେତକ ରାଜ୍ୟ କେନ୍ଦ୍ରର ନୂଆ ଗାଇଡଲାଇନ୍ ଆସିବା ପୂର୍ବରୁ ଲକଡାଉନ୍ ନେଇ ଘୋଷଣା କରିଥିଲେ । ତେବେ, ଏହା ଉପରେ ବର୍ତ୍ତମାନ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୂର୍ବରୁ କର୍ଣ୍ଣାଟକ ଓ ବିହାର ଲକଡାଉନକୁ ୧୪ ଦିନ ବୃଦ୍ଧି କରିଥିଲେ । ସେହିଭଳି ଆସାମ, ଉତ୍ତରପ୍ରଦେଶ ଭଳି ରାଜ୍ୟ ଶନିବାର ଓ ରବିବାର ଲକଡାଉନ୍ ଲାଗୁ କରିଥିଲେ ।

Leave a Reply