ଚୀନ କମ୍ପାନୀଙ୍କୁ ଲଗାମ,ଭାରତ ସରକାରଙ୍କ କଠୋର ପଦକ୍ଷେପ

1 min read

ନୂଆଦିଲ୍ଲୀ: ଚୀନ୍ ସହ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ, ଭାରତ ସରକାର ଏକ ନୂଆ ଆଦେଶ ଜାରି କରିଛନ୍ତି । ଦେଶର ସୀମା ସହ ଲାଗି ରହିଥିବା ଦେଶଗୁଡିକ ପାଇଁ ନୂଆ ବ୍ୟବସାୟିକ ନିୟମ ଜାରି କରାଯାଇଛି । ଏହା ଅନୁଯାୟୀ ପାକିସ୍ତାନ ଓ ଚୀନ୍‌ର କୌଣସି ସଂସ୍ଥା ଭାରତରେ କୌଣସି ସରକାରୀ ନିଲାମ ପ୍ରକ୍ରିୟାରେ ଭାଗ ନେଇପାରିବେନି ।

ଭାରତ ଗୁରୁବାର ଦିନ ସରକାରୀ ଠିକାକୁ ନେଇ ପଡୋଷୀ ଦେଶଙ୍କ ପାଇଁ ନିୟମ କଠୋର କରିଛି । ନୂଆ ନିୟମ ଅନୁସାରେ ସରକାରୀ ଠିକା ପାଇଁ ଏବେ ପଡୋଷୀ ଦେଶର ବିଡର୍ସ( ନିଲାମ ଡାକିବା)ଙ୍କୁ ପ୍ରଥମେ ନାମ ପଂଜିକରଣ କରିବାକୁ ପଡିବ । ଏହା ସହ ସେମାନଙ୍କୁ ସୁରକ୍ଷାଗତ କ୍ଲିୟରାନ୍ସ ନେବାକୁପଡିବ । ଭାରତ ସରକାରଙ୍କ ଏହି ନିଷ୍ପତି ଚୀନକୁ ଟାର୍ଗେଟ କରି ନିଆଯାଇଛି ବୋଲି କୁହାଯାଉଛି ।

ଭାରତର କୌଣସି ସରକାରୀ ବା ରାଷ୍ଟ୍ରାୟତ ସଂସ୍ଥାକୁ ସେମାନେ ସାମଗ୍ରୀ କିମ୍ବା ଅନ୍ୟାନ୍ୟ ସେବା ଯୋଗାଇ ପାରିବେନି । ପ୍ରତିରକ୍ଷା ଓ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି । ଭାରତର ସୀମା ଚୀନ୍,ପାକିସ୍ତାନ,ବାଂଲାଦେଶ,ନେପାଳ ଓ ଭୁଟାନ ସହ ଲାଗିଛି । ତେବେ ବିଜ୍ଞପ୍ତିରେ କୌଣସି ଦେଶର ନାମ ନିଆଯାଇ ନାହିଁ । କିନ୍ତୁ ବିଶେଷଜ୍ଞ ଏହାକୁ ଚୀନ ବିରୋଧରେ ପଦକ୍ଷେପ ଭାବେ ଗ୍ରହଣ କରୁଛନ୍ତି । କାରଣ ବାକି ଦେଶଙ୍କର ଭାରତରେ ସେତେ ନିବେଶ ନାହିଁ । କେବଳ ଚୀନ କଂପାନୀ ଭାରତରେ ଅଧିକ ନିବେଶ କରୁଛନ୍ତି ।

china company

ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଲଦାଖରେ ଚୀନ୍ର ଆକ୍ରାମକ ଆଭିମୁଖ୍ୟର ତିନି ମାସ ପରେ ଭାରତ ନିଜର ପ୍ରଥମ କଠୋର ବାଣିଜ୍ୟକ ପଦକ୍ଷେପ ନେଇଛି । ଏହି ନୂଆ ନିୟମ ଦ୍ୱାରା ଭାରତ ସାର୍ବାଜନିକ କ୍ରୟର ବଡ ବଜାରରେ ଚୀନର ପ୍ରବେଶକୁ ସୀମିତ କରି ଦେଇଛି । ଦେଶର ଅନ୍ୟ ରାଜ୍ୟ ଗୁଡିକରେ ମଧ୍ୟ ଚୀନ କଂପାନୀଙ୍କ ଉପରେ ନୂଆ ପ୍ରକାରର ନିୟନ୍ତ୍ରଣ ଲାଗୁ ହେବ ।

ଏହି ନୂଆ କଟକଣା ପାଳନ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଘରୋଇ କମ୍ପାନୀ ପ୍ରତି କଟକଣା ଲାଗୁ ହେବନାହିଁ । ତେବେ ଡିସେମ୍ବର ୩୧ ଯାଏଁ ମେଡିକାଲ ସପ୍ଲାଏ ଉପରେ କୌଣସି କଟକଣା ଲାଗୁହେବ ନାହିଁ

ଏଥିପାଇଁ ଜେନେରାଲ ଫାଇନାନ୍ସ ରୁଲ୍ସ-୨୦୧୭ରେ ସଂଶୋଧନ କରାଯାଇଛି । ଭାରତର କୌଣସି ସରକାରୀ ବା ସରକାରଙ୍କ ଅଧୀନର କୌଣସି ପ୍ରକଳ୍ପ କାମରେ ଚୀନ୍ କମ୍ପାନୀ ସାମିଲ ହୋଇପାରିବ ନାହିଁ । ଯେଉଁ କମ୍ପାନୀ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଉଛନ୍ତି ସେମାନେ ସେମାନେ ମଧ୍ୟ ଚୀନ୍ ଓ ପାକିସ୍ତାନର କମ୍ପାନୀ ସହିତ କାରବାର କରିପାରିବେ ନାହିଁ ।

FDIକୁ ନେଇ ଆଗରୁ ସରକାର ନେଇଥିଲେ ପଦକ୍ଷେପ

ଏପ୍ରିଲ ମାସରେ ପ୍ରତ୍ୟକ୍ଷ ବୈଦେଶିକ ପୁଂଜି ନିବେଶକୁ ନେଇ ଭାରତ ସରକାର ଏହିଭଳି ଆଦେଶ ଜାରି କରିଥିଲେ । କରୋନା ମହାମାରୀ ଯୋଗୁ ଦୁର୍ବଳ ହୋଇ ପଡିଥିବା ଭାରତୀୟ କଂପାନୀଙ୍କ ପଛ ଦ୍ୱାର ଅଧିଗ୍ରହଣ ପାଇଁ ଚୀନର ସରକାର ସମର୍ଥିତ କଂପାନୀ ଉଦ୍ୟମ କରୁଥିବା ଖବର ଆସିବା ପରେ ଭାରତ ସରକାର ଏଫଡିଆଇ ନିୟମରେ ପରିବର୍ତ୍ତନ କରିଥିଲେ । ଭାରତ ସେତେବେଳ ଚୀନର ନାମ ନେଇନଥିଲା କିନ୍ତୁ ଚୀନର ବ୍ୟବସାୟୀକ ହିତ ପ୍ରଭାବିତ ହେବାରୁ ବେଜିଂ ନୀତିଗତ ଭେଦଭାବର ଅଭିଯୋଗ ଆଣିଥିଲା । ନୂଆ ଏଫଡିଆଇ ନିୟମ ଅନୁସାରେ ଭାରତର କୌଣସି ପଡୋଷୀ ଦେଶର କଂପାନୀ ଭାରତୀୟ କଂପାନୀର ଅଧିଗ୍ରହଣ ପୂର୍ବରୁ ସରକାରଙ୍କ ଅନୁମତି ନେବା ଅନିବାର୍ଯ୍ୟ ।

Leave a Reply