ଚେସ୍ ଅଲମ୍ପିଆଡ୍ ୨୦୨୬ ପାଇଁ ଲବି କରିବ ଭାରତ: ଖୁଆଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ୍ ଚେସ୍ ଲିଗ୍

1 min read

ନୂଆଦିଲ୍ଲୀ: ଚେସକୁ ଦେଶରେ ଚର୍ଚ୍ଚିତ କରିବାକୁ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଅଲ୍‌ ଇଣ୍ଡିଆ ଚେସ୍ ଫେଡରେସନ୍  । ଏ ସମ୍ପର୍କରେ ଅଲ୍‌ ଇଣ୍ଡିଆ ଚେସ୍ ଫେଡରେସନ୍‌ର ସଭାପତି ସଞ୍ଜୟ କପୁର ସୂଚିତ କରିଛନ୍ତି । ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ପାଇଁ ଉଦ୍ୟମ କରାଯିବା ସହିତ ଏକ ହାଇପ୍ରୋଫାଇଲ ଇଣ୍ଡିଆନ ଚେସ୍‌ ଲିଗ୍‌ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ବାର୍ଷିକ ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି।

ଡା. କପୁର କହିଛନ୍ତି, ଭାରତ ସାରା ବିଶ୍ଵ ପାଇଁ ଚେସ୍‌ ଡେଷ୍ଟିନେଶନ ହେଉ ବୋଲି ଆମେ ଚାହୁଁଛୁ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛୁ। ଦୀର୍ଘ ଦିନ ଧରି ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆମେ ଆନ୍ତର୍ଜାତୀୟ ସ୍ତରର ଇଣ୍ଡିଆନ୍ ଚେସ୍ ଲିଗ୍ ଆରମ୍ଭ କରିବାକୁ ଆଗ୍ରହୀ ଅଛୁ। ଫ୍ରାଞ୍ଚାଇଜ୍-ମଡେଲ୍ ଅନୁସରଣ କରି ଚଳିତ ବର୍ଷ ଶେଷ ହେବା ପୂର୍ବରୁ ପ୍ରଥମ ସଂସ୍କରଣ ଆୟୋଜିତ ହେବ ବୋଲି ସର୍ବଭାରତୀୟ ଚେସ୍‌ ମହାସଂଘ ସଭାପତି ତଥା କାନପୁର କ୍ରିକେଟ୍ ଆସୋସିଏସନର ଚେୟାରମ୍ୟାନ୍ ଡା. କପୁର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମହିଳା ଗ୍ରାଣ୍ଡ ପ୍ରିକ୍ସ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି, ଯାହାକି ବିଶ୍ୱ ମହିଳା ଚାମ୍ପିୟନଶିପ୍‌ର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ। ଏହା ଦେଶର ମହିଳା ଖେଳାଳିମାନଙ୍କୁ ଅଧିକ ଉତ୍ସାହ ପ୍ରଦାନ କରିବ। ମହାସଂଘ ସଚିବ ଭାରତ ସିଂ ଚୌହାନ ସିଙ୍ଗଲ ୱିଣ୍ଡୋ ପଞ୍ଜୀକରଣ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ବର୍ତ୍ତମାନଠାରୁ ପ୍ରତ୍ୟେକ ଖେଳାଳି ନିଜ ଜିଲା, ରାଜ୍ୟ ତଥା ଏଆଇସିଏଫ୍ ପାଇଁ ପଞ୍ଜୀକୃତ ହେବେ। ସେଣ୍ଟର ଅଫ୍ ଏକ୍ସଲେନ୍ସ ତୃଣମୂଳ ସ୍ତରରେ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରିବ। ଏହା ଫଳରେ ଭାରତରୁ ଅତି କମରେ ୧୦ ଜଣ ଖେଳାଳି ବିଶ୍ଵର ଶୀର୍ଷ ୫୦ ରାଙ୍କରେ ରହିପାରିବେ ବୋଲି ସେ କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ଚେନ୍ନାଇ ଟେଷ୍ଟ; ପ୍ରଥମ ପାଳିରେ ୧୩୪ ରନରେ ଅଟକିଲା ଇଂଲଣ୍ଡ, ଅଶ୍ୱିନଙ୍କୁ ୫ଟି ୱିକେଟ୍

Leave a Reply