ଦେଶରେ ୭୧ ଲକ୍ଷ ଟପିଲା କରୋନା ସଂକ୍ରମଣ, ଦିନକରେ ୬୬ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬୬ ହଜାର ୭୩୨ ନୂଆ ମାମଲା ସାମ୍ନାକୁ ଆସିଛି । ସେହିଭଳି ୮୧୬ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ମାମଲାକୁ ମିଶାଇ ୭୧ ଲକ୍ଷ ୨୦ ହଜାର ୫୩୯ରେ ପହଞ୍ଚିଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ୬୧ ଲକ୍ଷ ୪୯ ହଜାର ୫୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏକ ଲକ୍ଷ ୯ ହଜାର ୧୫୦ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ମୋଟ୍ ୮ ଲକ୍ଷ ୬୧ ହଜାର ୮୫୩ଟି ମାମଲା ସକ୍ରିୟ ରହିଛି ।

ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କରୋନା ଭୂତାଣୁର ଆକ୍ଟିଭ କେସ ଓ ମୃତ୍ୟୁହାର ସବୁଠୁ ଅଧିକ ରହିଛି। ଏହା ସହ ସୁସ୍ଥତା ହାର ମଧ୍ୟ ବଢୁଛି । ଆଇସିଏମଆର ଅନୁଯାୟୀ, ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ କରୋନା ଭାଇରସର ୮ କୋଟି ୭୮ ଲକ୍ଷ ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଆଶ୍ୱସ୍ଥିର ବିଷୟ ଏହା ଯେ, ମୃତ୍ୟୁହାରରେ କ୍ରମାଗତ ହ୍ରାସ ରେକର୍ଡ କରାଯାଇଛି । ମୃତ୍ୟୁ ହାର ୧.୫୪ ପ୍ରତିଶତକୁ ଖସିଛି । ଏହା ବ୍ୟତୀତ ସୁସ୍ଥତା ହାର ୮୬ ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତରେ ସୁସ୍ଥତା ହାର ଲଗାତାର ବଢିବାରେ ଲାଗିଛି ।

Leave a Reply