ମୃତ୍ୟୁହାରରେ ଇଟାଲୀକୁ ପଛରେ ପକାଇ ପଞ୍ଚମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ସଂକଟ ସମୟରେ ଭାରତର ଅଲୋଡ଼ା ରେକର୍ଡ । ବିଶ୍ୱରେ କରୋନା ମୃତ୍ୟୁହାର ଭାରତରେ କମ୍ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବାରମ୍ବାର କହି ଆସୁଛି । କିନ୍ତୁ, ଅସଲ ଚିତ୍ର ଭିନ୍ନ । ମାର୍ଚ୍ଚ ଓ ଏପ୍ରିଲ ମାସରେ କରୋନା ମୃତ୍ୟୁ ପାଇଁ ଚର୍ଚ୍ଚାରେ ଥିବା ଇଟାଲୀକୁ ଭାରତ ପଛରେ ପକାଇ ଦେଇଛି । କରୋନା ମୃତ୍ୟୁହାରରେ ଇଟାଲୀକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଛି । ଆମେରିକାର ଜହନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ଏହି ତଥ୍ୟ ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୭୭୯ କରୋନା ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁସଂଖ୍ୟା ୩୫ ହଜାର ୭୪୭ରେ ପହଞ୍ଚିଛି ।

୩୫ ହଜାର ୭୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି । ଯେତେବେଳେ କି କରୋନାରେ ଇଟାଲୀରେ ମାତ୍ର ୩୫ ହଜାର ୧୩୨ ଜଣ ପ୍ରାଣ ହରାଇଛନ୍ତି । ଆମେରିକାରେ କରୋନାରେ ସର୍ବାଧିକ ୧ ଲକ୍ଷ ୫୨ ହଜାର ୭୦ ଜଣ ମୃତ୍ୟୁବରଣ କରିଥିବା ବେଳେ, ବ୍ରାଜିଲରେ ୯୧ ହଜାର ୨୬୩ ଜଣ, ୟୁନାଇଟେଡ୍ କିଙ୍ଗଡମରେ ୪୬ ହଜାର ୮୪ ଜଣ ଓ ମେକ୍ସିକୋରେ ୪୬ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

ଜହନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ପ୍ରକାରେ ଭାରତରେ ଏବେ ୫ ଲକ୍ଷ ୪୫ ହଜାରରୁ ଅଧିକ କରୋନା ସକ୍ରିୟ ରହିଛି । ଯେତେବେଳେ କି ୧୦ ଲକ୍ଷ ୫୭ ହଜାର ୮୦୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଶୁକ୍ରବାର ଦେଶରେ ରେକର୍ଡ ସଂଖ୍ୟକ ୫୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୦ରେ ପହଞ୍ଚିଛି । ତେବେ, ଆଶ୍ୱସ୍ତିର କଥା ହେଉଛି ଦେଶରେ ସୁସ୍ଥତା ହାର ବଢ଼ୁଛି । ଗତ ୨୪ ଘଣ୍ଟାରେ ୩୨ ହଜାର ୫୫୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ମୋଟ ୧୦ ଲକ୍ଷ ୫୭ ହଜାର ୮୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଦେଇଛି । ୬୪.୪୪ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଦେଶରେ ମୃତ୍ୟୁହାର ୨.୨୧ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ସୂଚନା ଅନୁସାରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭ୍ ହାର ୧୦ ପ୍ରତିଶତରୁ କମ ରହିଛି । ୪ଟି ରାଜ୍ୟରେ ପଜିଟିଭ୍ ହାର ୫ ପ୍ରତିଶତୁ କମ ଥିବା ଜଣାପଡ଼ିଛି । ଦେଶରେ କରୋନା ମୃତ୍ୟୁହାର ୨.୨୧ ପ୍ରତିଶତ ରହିଛି । ଯେତେବେଳେ କି ବିଶ୍ୱରେ କରୋନା ମୃତ୍ୟୁହାର ୪ ପ୍ରତିଶତ ରହିଛି । ଏବଂ ଭାରତର ମୃତ୍ୟୁହାର ବିଶ୍ୱରେ ସବୁଠାରୁ କମ୍ ରହିଛି ।

Leave a Reply