ପାକିସ୍ତାନର ଶଙ୍କା; ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ: ସରକାର କରିବେ କି ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ । କୃଷି ଆନ୍ଦୋଳନରୁ ଧ୍ୟାନ ହଟାଇବାକୁ ପାକିସ୍ତାନ ଉପରେ କରିବେ କି ରାତି ଅଧିଆ ଆକ୍ରମଣ । ଆମେ ନୁହେଁ ବଂର ପାକିସ୍ତାନ କରିଛି ଏପରି ଆଶଙ୍କା । ଖୋଦ ପାକିସ୍ତାନର କେତୋଟି ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି ଏପରି ଚାଞ୍ଚଲ୍ୟକର ଖବର । ଶାସନ ଗାଦିରେ ବସିଥିବା ହିନ୍ଦୁତ୍ୱବାଦୀ ମୋଦି, ନିଜ ଦେଶର ଧ୍ୟାନ ଭ୍ରଷ୍ଟ କରିବପାରନ୍ତି । କୃଷି ଆଇନ ବିରୋଧରେ ଜୋର ଧରିଥିବା ଚାଷୀ ଆନ୍ଦୋଳନରୁ ଦେଶବାସୀଙ୍କ ନଜର ହଟାଇବାକୁ ମୋଦି ସରକାର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିପାରନ୍ତି । ଏପରି ଏକ ଖବର ପ୍ରକାଶ କରିଛି, ପାକିସ୍ତାନର ପ୍ରମୁଖ ଖବର କାଗଜ ସଂସ୍ଥା ‘ଏକ୍ସପ୍ରେସ ଟ୍ରିବ୍ୟୁନ’ ।

 

ଗୋଟେପଟେ ଭାରତରେ କୃଷି ଆଇନ ପ୍ରତ୍ୟାହାର ଦାବି ଜୋର ଧରିଛି । ସ୍ଥିତି ଏମିତି ହୋଇଛି ଯେ, ସରକାରଙ୍କ ଲିଖିତ ପ୍ରସ୍ତାବ ପରେ ମଧ୍ୟ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି କୃଷକ ସଂଗଠନ । ଏବଂ ଆଗକୁ ବ୍ୟାପକ ପ୍ରତିବାଦ, ପ୍ରତିରୋଧ କରିବାକୁ ଖୋଲା ଆହ୍ୱାନ ଦେଇଛନ୍ତି କୃଷକ । ଆଉ ଏପରି ସ୍ଥଳେ ପାକିସ୍ତାନର ଖବର ଏବେ ଚର୍ଚ୍ଚା ପାଲଟିଛି । ଏକ୍ସପ୍ରେସ ଟ୍ରିବ୍ୟୁନ କହିଛି, ଶୀଖ ଚାଷୀଙ୍କ ଆନ୍ଦୋଳନ ଭାରତ ସରକାରକୁ ହରଡ ଘଣାରେ ପକାଇଛି, ଫଳରେ ଏହି ଘଟଣାରୁ ଧ୍ୟାନ ହଟାଇବାକୁ ଭାରତ ଚକ୍ରାନ୍ତ ରଚୁଥିବା କହିଛି ପାକ୍ ର ଏହି ଖବର କାଗଜ ।

ଖବର କାଗଜରେ ପ୍ରକାଶ ମୁତାବକ, ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ ଭାରତ ସୀମାରେ ସେନାକୁ ସଜାଗ କରୁଛି । ଯେକୌଣସି ମୂହୂର୍ତ୍ତରେ ଭାରତୀୟ ସେନା ଏହି ଦୁଃସାହସ କରିପାରେ । ସେପଟେ ଏପରି ଖବର ପ୍ରକାଶ ପରେ ପାକିସ୍ତାନ ମଧ୍ୟ ନିଜ ସୀମାରେ ଅଧିକ ସଂଖ୍ୟକ ସେନାଙ୍କୁ ମୁତୟନ କରିଛି । ସୀମାରେ ସୁରକ୍ଷାକୁ କଡାକଡି କରିଛି  ।ଅନ୍ୟପଟେ ପାକ୍ ସରକାରର ବାଣିଜ୍ୟ ମନ୍ତ୍ରୀ ଭାରତୀୟ ଚାଷୀଙ୍କ ଆନ୍ଦୋଳନକୁ ନେଇ କରିଛନ୍ତି ବିବାଦୀୟ ଟ୍ୱିଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ସେ କହିଛନ୍ତି, ନିର୍ଦୟ ମୋଦି ସରକାର ପଞ୍ଜାବ ଚାଷୀଙ୍କୁ ଅଣଦେଖା କରୁଛନ୍ତି । ଗୁଜରାଟର ହିନ୍ଦୁବାଦୀ ମୋଦି ସରକାର ପଞ୍ଜାବ କୃଷକଙ୍କ ପାଇଁ କାଣିଚିଏ ଆନ୍ତରିକତା ପ୍ରଦର୍ଶନ କରୁ ନାହିଁ ବୋଲି କହିଛନ୍ତି ପାକ୍ ମନ୍ତ୍ରୀ ।

ସୈତାନୀ ପାକିସ୍ତାନର ଏପରି ବଦମାସୀ କିଛି ନୂଆ ନୁହେଁ  । ପୁଲୱାମାରେ ପାକିସ୍ତାନ ଆତଙ୍କୀଙ୍କ ଉତ୍ପାତ ପରେ ୨୦୧୯ ଫେବୃୟାରୀରେ ଆକାଶ ମାର୍ଗରୁ ଶତ୍ରୁ ରାଷ୍ଟ୍ରର ଶିବିରକୁ ଧ୍ୱସଂ କରିଥିଲା ଭାରତୀୟ ସେନା  । ଭାରତର କଡା ଜବାବରେ ଥରହର ହୋଇପଡିଥିଲା ପଡୋଶୀ ପାକ୍  । ଏବେ ପୁଣି ଥରେ ଶଙ୍କା ପ୍ରକାଶ କରିଛି ଖୋଦ ପାକିସ୍ତାନର ଖବର କାଗଜ ସଂସ୍ଥା  ।  ଭାରତ କେତେବେଳେ ମଧ୍ୟ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ନେଇ ଖବର ପ୍ରକାଶ ପାଇଛି  । ପାକିସ୍ତାନ ଖବର ସଂସ୍ଥାର ଏପରି ଲେଖା ଖୋଦ ନିଜ ଦେଶବାସୀଙ୍କୁ କରିଛି ଭୟଭୀତ   ।

Leave a Reply