୧୯୬୨ ଭାରତ-ଚୀନ୍‌ ଯୁଦ୍ଧ ବେଳେ ପାକିସ୍ତାନ ମୁଣ୍ଡ ଖେଳାଇ ନଥିଲା କାହିଁକି, ହେଲେ ଏଥର…?

1 min read
India China War 1962 why Pakistan Did Not Support To China Tlif.

ସୋମବାର ରାତିରେ ଲଦାଖର ଗଲଭାନ ଘାଟିରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଭାରତର କମାଣ୍ଡିଂ ଅଫିସରଙ୍କ ସମେତ ୨୦ ଜଣ ସୈନିକ ସହିଦ ହୋଇଛନ୍ତି । ଏହି ହିଂସାରେ ୪୦ ଜଣ ଚୀନ୍ ସୈନିକ ନିହତ ହୋଇଥିବା ଏବଂ ଅନେକ ଗୁରୁତର ହୋଇଥିବା ମଧ୍ୟ ଖବର ରହିଛି ।

ଏବେ ପ୍ରଶ୍ନ ଉଠୁଛି ଭାରତ-ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଲେ ପାକିସ୍ତାନ କ’ଣ କରିବ ? ଚୀନ୍‌କୁ ସମର୍ଥନ କରିବ ନା ୧୯୬୨ ମସିହା ଭଳି ଭାରତ-ଚୀନ୍‌ ଯୁଦ୍ଧରୁ ନିଜକୁ ନିବୃତ୍ତ ରଖିବ ?

୧୯୬୨ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ପ୍ରଥମେ ସୁଯୋଗର ଫାଇଦା ନେବାକୁ ଚେଷ୍ଟା କରିଥିଲା । ହେଲେ ଭାରତ ପ୍ରତି ଆମେରିକାର ଦୃଢ଼ ସମର୍ଥନ ଥିବାରୁ ପାକିସ୍ତାନ ନିଜକୁ ଏହି ବିବାଦରୁ ଦୂରେଇ ରଖିଥିଲା ଏବଂ ପଛକୁ ପାଦ ଫେରାଇବାକୁ ବାଧ୍ୟ ହୋଇଥିଲା ।  ଆମେରିକାର ପୂର୍ବତନ ସୁରକ୍ଷା ଏଜେନ୍ସି ଅଧିକାରୀ ବ୍ରୁସ ରିଡେଲ, ତାଙ୍କ ପୁସ୍ତକ JFK ର ଫରଗଟନ୍‌: ତିବ୍ଦତରେ ଏହାର ଖୁଲାସା କରିଛନ୍ତି ।

ବ୍ରୁସ୍ ରିଡଲଙ୍କ ଅନୁଯାୟୀ, ୧୯୬୨ ମସିହାରେ ଆମେରିକା ନିଜେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆୟୁବ୍‌ ଖାନ୍‌ଙ୍କଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧର ଫାଇଦା ନ ନେବାକୁ ଆଶ୍ୱସନା ମାଗିଥିଲେ । ସେହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

୧୯୬୨ ମସିହାରେ ଭାରତ-ଚୀନ୍ ଯୁଦ୍ଧ ବେଳେ ପାକିସ୍ତାନ ହାତରେ କାଶ୍ମୀର ଦଖଲ କରିବାର ସୁଯୋଗ ରହିଥିଲା । ଏହା ମଧ୍ୟ ବ୍ରୁସ୍ ରିଡଲ୍ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ, ପାକିସ୍ତାନ ଭାରତ ସହ ଯୁଦ୍ଧ ଆରମ୍ଭ କରିବା ପାଇଁ ସକ୍ଷମ ଥିଲା ଏବଂ ପ୍ରସ୍ତୁତ ମଧ୍ୟ ଥିଲା । କିନ୍ତୁ ୧୯୬୨ ମସିହାରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାର ଫାଇଦା ନ ନେବାକୁ ପାକିସ୍ତାନ ନିଷ୍ପତ୍ତି ନେଇଥିଲା ।

୨୮ ଅକ୍ଟୋବର ୧୯୬୨ ରେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ସେନାର ସାହାଯ୍ୟ ଲୋଡିଥିଲେ । ଏହା ପରେ ପାକିସ୍ତାନରେ ଥିବା ତତ୍କାଳୀନ ଆମେରିକା ରାଷ୍ଟ୍ରଦୂତ ୱାଲ୍ଟର ମ୍ୟାକକୋନି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆୟୁବ ଖାନଙ୍କୁ ଭେଟିଥିଲେ । ଏହାସହ ଭାରତ-ଚୀନ୍‌ ଲଢ଼େଇରେ ପାକିସ୍ତାନ ଭାଗ ନେବ ନାହିଁ ବୋଲି ନେହେରୁଙ୍କୁ ବାର୍ତ୍ତା ପଠାଇବାକୁ ଆୟୁବ୍‌ ଖାନ୍‌ଙ୍କୁ କହିଥିଲେ ।

ତେବେ ଏହାର ଜବାବରେ ଆୟୁବ ଖାନ କହିଥିଲେ ଯେ, ଆମେରିକା ଏବଂ ପାକିସ୍ତାନ ମିଳିତ ଭାବେ ଭାରତର ଜମି ଦଖଲ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଯେପରି ଚୀନ୍ କରୁଛି । ଆୟୁବ ଖାନଙ୍କ ଏହି ମନ୍ତବ୍ୟକୁ ଆମେରିକା ବ୍ଲାକମେଲ୍‌ ବୋଲି ବିବେଚନା କରିଥିଲା । ଏହାସହ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ ।

ଏହା ପରେ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଜେ.କେ ଗାଲବ୍ରେଥ୍‌, ୱାଶିଂଟନ୍ ଏବଂ କରାଚିକୁ ଏକ ଟେଲିଗ୍ରାମ ଲେଖିଥିଲେ । ଏଥିରେ ସେ କହିଥିଲେ ଯେ, ଆମେରିକାର କୌଣସି ବାର୍ତ୍ତାକୁ ପାକିସ୍ତାନ କାଶ୍ମୀର ସହ ନଯୋଡ଼ିବା ଭଲ । ଏହା ପରେ ଆମେରିକା ତୁରନ୍ତ ଗେଲବ୍ରେଥ୍‌ଙ୍କ ଯୋଜନାରେ ମୋହର ମାରିଲା । ଏହାସହ ଏବଂ ନେହେରୁଙ୍କୁ ଚିଠି ଲେଖିବାକୁ ଆୟୁବ ଖାନଙ୍କୁ କହିଲା ।

ଏହି ଘଟଣା ପରେ ଏହା ସ୍ପଷ୍ଟ ଥିଲା ଯେ, ପାକିସ୍ତାନର କୌଣସି ବି ଭୁଲ ପଦକ୍ଷେପକୁ ଆମେରିକା ଏବଂ ବ୍ରିଟେନ ସହ୍ୟ କରିବେନି । ଏହାକୁ ଶତ୍ରୁତା ଓ ଆକ୍ରମଣାତ୍ମକ କାର୍ଯ୍ୟ ଭାବେ ଗ୍ରହଣ କରିବେ । ‘ସିଟୋ’ ଏବଂ ‘ସେଣ୍ଟୋ’ ଚୁକ୍ତି ଅନୁଯାୟୀ ପାକିସ୍ତାନର କୌଣସି ବି କାର୍ଯ୍ୟକୁ ଭୁଲ ବୋଲି ବିବେଚନା କରାଯିବ । ଆମେରିକା ପକ୍ଷରୁ ପାକିସ୍ତାନକୁ ଆହୁରି ମଧ୍ୟ କୁହାଗଲା ଯେ, ୧୯୫୦ ପରେ ଚୀନ୍ ପକ୍ଷରୁ ମାଓ ଦ୍ୱାରା କରାଯାଇଥିବା ଆକ୍ରମଣ ସବୁଠାରୁ ଭୟଙ୍କର ଥିଲା । ଏହାର ଜବାବ ଦେବାକୁ ଏବେ ଆମେରିକା ପ୍ରସ୍ତୁତ ରହିଛି ।

ଏହି ପୁସ୍ତକରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଭାରତ ଅଧିକୃତ ଜବି ଯେତେବେଳେ ଚୀନ୍ ହାତେଇବାକୁ ବସିଥିଲା ସେତେବେଳେ ନେହେରୁ ତୁରନ୍ତ ଆମେରିକାର ସହାୟତା ଲୋଡିଥିଲେ । ଚୀନ୍‌କୁ ପରାସ୍ତ କରିବା ପାଇଁ ଯୁଦ୍ଧ ବିମାନ ଯୋଗାଇବାକୁ କେନେଡିଙ୍କୁ ଏକ ଚିଠି ଲେଖିଥିଲେ ନେହେରୁ ।

ଏହା ପରେ ନେହେରୁ ୧୯ ନଭେମ୍ବରରେ ରାଷ୍ଟ୍ରଦୂତଙ୍କ ମାଧ୍ୟମରେ ରାଷ୍ଟ୍ରପତି କେନେଡିଙ୍କୁ ଆଉ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ଚୀନ୍‌ର ପିପୁଲ୍ସ ଲିବ୍ରେସନ୍ ଆର୍ମିକୁ ପରାସ୍ତ କରିବା ପାଇଁ ଆମେରିକାର ବାୟୁ ସେନାକୁ ସହଯୋଗ ଲୋଡ଼ିଥିଲେ । ଚୀନ୍ ସମ୍ପ୍ରଦାୟ ବିରୋଧରେ ଏକ ନୂତନ ଯୁଦ୍ଧ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନେହେରୁ ରାଷ୍ଟ୍ରପତି କେନେଡିଙ୍କୁ ନିବେଦନ କରିଥିଲେ ।

Leave a Reply